(ମହାଭାରତ): ସୋସିଆଲ ମିଡିଆରେ କୋରୋନା ଭାଇରସ ସମ୍ପର୍କିତ ସଚେତନତା ବାର୍ତ୍ତା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ସେଫ୍ ହ୍ୟାଣ୍ଡସ୍’ର ଚ୍ୟାଲେଞ୍ଜ ରଖାଯାଇଛି । ଏଥିପାଇଁ ଦୀପିକା ପାଦୁକୋନ,ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ଅନେକ ଭାରତୀୟ ଅଭିନେତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ହାତ ମିଳାଇ ଲଗାତାର ଭାବରେ ଫ୍ୟାନ୍ସଙ୍କୁ ସଚେତନ କରାଇବାରେ ଲାଗିଛନ୍ତି । ଏହି ଅଭିଯାନରେ ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜାହାନ୍ ମଧ୍ୟ ସାମିଲ ହୋଇଛନ୍ତି ।
କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ନୁସରତ୍ ସୋସିଆଲ ମିଡିଆରେ ହାତ ଧୋଇବାର ଏକ ଭିଡିଓ ସେୟାର କରିଛନ୍ତି । ତେବେ ଏହି ଭିଡିଓଟିକୁ ସେୟାର କରି ସେ ଫ୍ୟାନ୍ସଙ୍କ ଟ୍ରୋଲିଙ୍ଗର ଶିକାର ହୋଇଛନ୍ତି ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ନୁସରତ ହ୍ୟାଣ୍ଡ ୱାଶରେ ହାତ ଧୋଉଥିବା ଦେଖିବାକୁ ମିଳିଛି । କିନ୍ତୁ ଭିଡିଓଟି ଶୁଟ୍ କରିବା ସମୟରେ ସେ ଏକ ଭୁଲ୍ କରି ବସିଛନ୍ତି । ହାତ ଧୋଇବା ସମୟରେ ନୁସରତ ନଳକୁ ଖୋଲା ଛାଡି ଦେଇଥିଲେ । ଯାହାକୁ ଦେଖିବା ପରେ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ସେଫ୍ ହ୍ୟାଣ୍ଡସ୍’ ଚ୍ୟାଲେଞ୍ଜରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ୍ ସୋସିଆଲ ମିଡିଆରେ ଲୋକଙ୍କୁ ପାଣି ବଞ୍ଚାଇବା ପାଇଁ ପରାମର୍ଶ ଦେଉଥିବାବେଳେ ନୁସରତଙ୍କର ପାଣି ନଷ୍ଟ କରିବା ଭିଡିଓ ଦେଖି ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି ।