ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ 10 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । 13 ଜଣ ନମାଙ୍କନ ଭାରିଥିବାବେଳେ ଯାଞ୍ଚରେ 2 ଜଣଙ୍କର ପ୍ରାର୍ଥୀତ୍ବ ନାକଚ ହୋଇଥିବାବେଳେ ଆଜି ଜଣେ ପ୍ରତ୍ୟାହାର କରିଛନ୍ତି । ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇସାରିଥିବା ବେଳେ ନିର୍ବାଚନ ଲାଗି ସମସ୍ତ ବ୍ୟବସ୍ଥା ହୋଇସାରିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।
ସିଇଓଙ୍କ ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ୨, ୫୭, ୪୭୪ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୧, ୨୯, ୪୯୭ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧, ୨୭, ୯୬୫ । ୧୨ ଜଣ କିନ୍ନର ଭୋଟର ରହିଛନ୍ତି । ସେହିଭଳି ଏହି ନିର୍ବାଚନମଣ୍ଡଳୀରେ ୧୯୯ ସର୍ଭିସ ଭୋଟର ଅଛନ୍ତି ।
ବରିଷ୍ଠ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୬୯୫୧ । ୮୦ ବର୍ଷରୁ ଉର୍ଦ୍ଧ୍ବ ଭୋଟର ସଂଖ୍ୟା ୪୩୯୩ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୨୫୫୮ । ଧାମନଗର ପରି ପଦ୍ମପୁରରେ ମଧ୍ୟ ବରିଷ୍ଠ ଓ ଭିନ୍ନକ୍ଷମ ଭୋଟରଙ୍କ ଲାଗି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ ପାଇଁ ଯେଉଁମାନେ ଚାହିଁବେ ଫର୍ମ 12 D ଜରିଆରେ ଆବେଦନ କରିବେ । ବର୍ତ୍ତମାନ ସୁଦ୍ଧା ପୋଷ୍ଟାଲ ବାଲାଟ ପାଇଁ ୨୮୪ ଜଣ ଆବେଦନ କରିଛନ୍ତି । ପୋଷ୍ଟାଲ ବାଲଟ ସଂଗ୍ରହ ପାଇଁ ୧୧ ଟି ପୋଲିଂ ପାର୍ଟି ଗଠନ ହୋଇଛି । ପ୍ରତ୍ୟେକ ପାର୍ଟିରେ ୨ ଜଣ ଲେଖାଏଁ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜରଭର ଓ ଜଣେ ଲେଖାଏଁ ସୁରକ୍ଷାକର୍ମୀ ରହିବେ ।
ବିଧାନସଭା କ୍ଷେତ୍ରରେ ୨୭୯ଟି ସ୍ଥାନରେ ୩୧୯ ବୁଥ ରହିଛି । ୩୦୬ ବୁଥର ନାଁ ପରିବର୍ତ୍ତନ ହୋଇଛି କିନ୍ତୁ ସ୍ଥାନ ସମାନ ରହିଛି । ଚଳିତ ଉପନିର୍ବାଚନରେ ମତଦାନର ସମୟ ସୀମାକୁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ପୋଲିଂ ଅଧିକାରୀଙ୍କ ପ୍ରଥମ ରାଉଣ୍ଡ ପ୍ରଶିକ୍ଷଣ ଶେଷ ହୋଇଛି । ନଭେମ୍ବର 5ରୁ ପୁରା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୬ ଟି ସ୍ୱୀକୃତିପ୍ରାପ୍ତ ମାରଣାସ୍ତ୍ର ଡିପୋଜିଟ ହୋଇଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ଲାଗୁ ୧୦୪ ନନ୍ ବେଲେବୁଲ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି । ସେହିପରି CRPC ୫୭୯ ଙ୍କୁ ଗିରଫ କରାଯାଇଛି । ନିଶାଦ୍ରବ୍ୟ କାରବାର ଜନିତ ୧୧୪ ମାମଲା ରୁଜୁ ହୋଇଥିବାବେଳେ ୭୪ ଜଣଙ୍କୁ ଗିରଫ କରାଯାଇଛି । ଏହି ଉପନିର୍ବାଚନ ପାଇଁ ଭାରତର ର୍ନିବାଚନ କମିଶନ ଆଇଏଏସ ମାନଭେନ୍ଦ୍ର ପ୍ରତାପ ସିଂହଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ (9040283949), ଆଇଆରଏଏସ ରାମପ୍ରସାଦ ଗୁପ୍ତାଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ(6372441210) ଓ ଆଇପିଏସ ହେମନ୍ତ ଚୌହାନଙ୍କୁ ପୋଲିସ ପର୍ଯ୍ୟବେକ୍ଷକ (9040283936) ଭାବେ ନିଯୁକ୍ତି ମିଳିଛି । ଏବଂ ସେମାନଙ୍କ ଯୋଗାଯୋଗ ନମ୍ବର ସର୍ବସାଧାରଣ କରାଯାଇଛି । ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ସିଧାସଳଖ ସେମାନଙ୍କୁ କରାଯାଇପାରିବ ।
ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ଡିସେମ୍ବର ୫ ତାରିଖରେ ମତଦାନ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ପାଇଁ ସମୟ ଧାର୍ଯ୍ୟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ସମ୍ପୂର୍ଣ୍ଣ ବରଗଡ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜଣେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚର ସର୍ବାଧିକ ସୀମା ୪୦ ଲକ୍ଷ ଟଙ୍କା ରହିଛି । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ବାବଦରେ ସ୍ୱତନ୍ତ୍ର ହିସାବ ଖାତା ରଖିବେ । ନିର୍ବାଚନ ସମୟରେ କେତେ ଅର୍ଥ ବ୍ୟୟ କଲେ ତାହାର ହିସାବ ଫଳ ପ୍ରକାଶର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ମୁତୟନ ହୋଇଛନ୍ତି । ଏଥି ସହିତ ଆବଶ୍ୟକ ସଂଖ୍ୟକ ରାଜ୍ୟ ପୁଲିସ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ରାଜ୍ୟ ସରକାର ମତଦାନ ଦିବସକୁ ଭୋଟରମାନଙ୍କ ପାଇଁ ଛୁଟି ଏବଂ ଉଭୟ ମତଦାନ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରିଛନ୍ତି । ନିର୍ବାଚନରେ ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ ଏବଂ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ସମେତ ମୋଟ 10 ଜଣ ପ୍ରାର୍ଥୀ ଚୂଡାନ୍ତ ହୋଇଛନ୍ତି ।