ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଡେଲ୍ଟା ଭାରିଏଣ୍ଟ ଏବେ ବି ଲୋକଙ୍କୁ ଆତଙ୍କିତ କରି ରଖିଛି । ଅନ୍ୟପଟେ ତୃତୀୟ ଲହରକୁ ନେଇ ବିଶେଷଜ୍ଞ ସମୟ ସମୟରେ ଚେତାଉ ଦେଉଛନ୍ତି । ଆଗାମୀ ଭବିଷ୍ୟତରେ ଡେଲଟା ଭାରିଏଣ୍ଟ୍ ଏବଂ ନୂଆ ନୂଆ ଭାରିଏଣ୍ଟ୍ ବର୍ତ୍ତମାନ ତୁଳନାରେ ଅଧିକ ମାରାତ୍ମକ ହୋଇପାରନ୍ତି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)।ତେଣୁ ରାଜ୍ୟସରକାର ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରାଯାଉଛି ।
ରାଜଧାନୀ ଭୁବନେଶ୍ୱରରେ ଟୀକାକରଣ କେତେଦୂର ସଫଳ ହୋଇଛି ତାର ହିସାବ ଦେଖଇଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ। ଟୀକାକରଣରେ ଭୁବନେଶ୍ୱର ଟାର୍ଗେଟ ପୂରଣ କରିଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କ ପାଇଁ ୨ଟି ଡୋଜ ଟୀକା ଦେବା ଲାଗି ୧୮.୧୪ ଲକ୍ଷ ଟୀକାକରଣ ଟାର୍ଗେଟ ଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ଡୋଜ୍ ଦିଆ ସରିଛି। ୧୦ ଲକ୍ଷ ୫୯ ହଜାର ପ୍ରଥମ, ୭ ଲକ୍ଷ ୭ ହଜାର ଉଭୟ ଡୋଜ୍ ନେଇଛନ୍ତି ବୋଲି ସେଠୀ କହିଛନ୍ତି । ସେ ଆହୁରି କହିଛନ୍ତି, ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ପ୍ରତିଦିନ ବାହାରୁ ଅନେକ ଲୋକ ଆସିଥାନ୍ତି। ତେଣୁ ଟୀକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ଭୁବନେଶ୍ୱର ବାସିନ୍ଦାଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକା ଦିଆଯାଉଛି । ଏଥିସହିତ ବାହାର ଲୋକଙ୍କୁ ମଧ୍ୟ ଟୀକା ଦିଆଯାଉଛି ବୋଲି ସେଠୀ କହିଛନ୍ତି।
ଭୁବନେଶ୍ୱରରେ ଟୀକାକରଣ ନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗର୍ଭବତୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛି ବିଏମସି। ସେଥିପାଇଁ ବିନା ସ୍ଲଗ ବୁକ୍ରେ ସେମାନଙ୍କୁ ବୁଧବାର ଓ ଶନିବାର ଟୀକା ଦିଆଯାଉଛି ।