ଭୁବନେଶ୍ୱର/ ସୁର୍ଜିତ ଧଳ: ଆଇ ହାଭ ଦ୍ୟାଟ ପାୱାର, ଆଇ ଫିନିସ ଇୟୋର ପାୱାର (ମୋର ଏତେ କ୍ଷମତା କି ମୁଁ ତୁମ କ୍ଷମତା ଶେଷ କରିଦେବି) । ଏମିତି ଖୋଲାଖୋଲି କହୁଛନ୍ତି ରାଜ୍ୟର ଜଣେ ପ୍ରଶାସନିକ ଅଧିକାରୀ । ଏହି ପ୍ରାଶସକଙ୍କ ପାଦ ଛୁଇଁ ନତମସ୍ତ ରହିଥିଲେ ଦଳରେ ତିଷ୍ଠିବ । ଆଗରେ ମୁଣ୍ଡ ଟେକି କଥା ହେଲେ ଦଳରୁ ତଡା ଖାଇବ । ଜନପ୍ରତିନିଧି ଏହି ପ୍ରଶାସକଙ୍କୁ ସାର ଆପଣ ନ କହିଲେ ତାଙ୍କ ରାଜନୈତିକ କ୍ୟାରିୟରରେ ଡୋରି ବାନ୍ଧିବାର କ୍ଷମତା ରଖିଛନ୍ତି ଅଧିକାରୀ ।
ହଁ ଆପଣ ଠିକ ଠଉରଉଛନ୍ତି । ଆମେ କହୁଛୁ ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା ଦଇବ ବିଧାତା, ପ୍ରଶାସନିକ କଳର ମୁଖିଆ, ୫ଟି, ମୋ ସରକାରର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ । ଗୋପାଳପୁରର ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାକୁ ଯାଇ ଆମକୁ ମିଳିଛି ଏହି ତଥ୍ୟ । ପାଣିଗ୍ରାହୀ କହିଛନ୍ତି, ସେ ଦଳ ଆରମ୍ଭରୁ ଦଳରେ ରହିଆସିଛନ୍ତି । ତେଣୁ ପାଣ୍ଡିଆନଙ୍କୁ ସେ ଜଣେ ପ୍ରଶାସକ ରୂପେ ହିଁ ଦେଖି ଆସିଛନ୍ତି । ଗଞ୍ଜାମରେ ସେ ଯେତେବେଳେ ଜିଲ୍ଲାପାଳ ଥିଲେ ସେତେବେଳେ ମୁଁ ବିଧାୟକ ରହିଥିଲି । ଏଥିମଧ୍ୟରେ ପାଣ୍ଡିଆନଙ୍କ କ୍ଷମତା ଓ କଳେବରେ ଅଭୁତପୂର୍ବ ଅଭିବୃଦ୍ଧି ଘଟିଛି ତାହା ମୋତେ ଜଣାନଥିଲା ।
ଦୁଇ ବର୍ଷ ପୂର୍ବେ ଏକ ଘଟଣାରେ ପାଣିଗ୍ରାହୀ ଓ ପାଣ୍ଡିଆନ ତୃତୀୟ ମହଲାରେ ଆଲୋଚନା କରୁଥିବା ସମୟରେ ପୂର୍ବ ସମ୍ପର୍କକୁ ନେଇ ପାଣ୍ଡିଆନଙ୍କ ପାଇଁ ପାଣିଗ୍ରାହୀ ତୁମେ ଶବ୍ଦର ବ୍ୟବହାର କରିଥିଲେ । ଏହି ଶବ୍ଦରେ ପାଣ୍ଡିଆନଙ୍କ ମୁଖମଣ୍ଡଳ କୁଆଡେ ଲାଲ ହୋଇଯାଇଥିଲା । ପାଣିଗ୍ରାହୀଙ୍କୁ ତାଗିଦ କରିଥିଲେ ଆଉ ଭୁଲରେ ତମେ କହିବ ନାହିଁ । ତୁମକୁ ଜଣାନାହିଁ ମୋ ପାଖରେ ଏତିକି କ୍ଷମତା ଅଛି କି ତୁମର ସବୁ କ୍ଷମତାକୁ ଛଡାଇ ନେଇ ପାରିବି । କିନ୍ତୁ ଜଣେ ଜନପ୍ରତିନିଧି ଜଣେ ପ୍ରଶାସକଙ୍କ ନିକଟରେ ନତମସ୍ତକ ହେବାକୁ ଗ୍ରହଣ କରି ପାରିନ ଥିଲେ ପାଣିଗ୍ରାହୀ । ଯାହା ତାଙ୍କ ପାଇଁ କାଳ ହୋଇଥିବା ପାଣିଗ୍ରାହୀ ଅନୁମାନ କରୁଛନ୍ତି । ସେହି ଦିନରୁ ପାଣ୍ଡିଆନଙ୍କ ଟାର୍ଗେଟରେ ସେ ରହିଆସୁଥିଲେ । ଏହି ଘଟଣା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବିରୋଧରେ ନାନା ମିଛ କୁହାଯାଉଥିଲା । ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କୁ ଭେଟିବାକୁ ଦିଆଯାଉ ନ ଥିଲା, ଯାହା କରୋନା କାଳରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ସମସ୍ତଙ୍କ ପାଇଁ ।
ପାଣିଗ୍ରାହୀ ଆହୁରି କହିଛନ୍ତି, ପାଣ୍ଡିଆନଙ୍କର ବିଗତ ୮ ବର୍ଷ ଭିତରେ ଏତେ କ୍ଷମତା ବୃଦ୍ଧି ଘଟିଛି କି ସେ ଜନପ୍ରତିନିଧିଙ୍କୁ ସିଧାସଳଖ ଧମକ ଦେଉଛନ୍ତି ସେମାନଙ୍କ କ୍ଷମତା ଛଡାଇ ନେବାକୁ । ଏହା ବ୍ୟତୀତ ପାଣ୍ଡିଆନ ଆହୁରି କହିଥିଲେ, ରାଜ୍ୟର ୧୪୭ ବିଧାୟକଙ୍କ ମଧ୍ୟରୁ କାହାର ଏତିକି ଦମ ନାହିଁ ମୋର … । ବିଧାୟକ ଓ ମନ୍ତ୍ରୀମାନେ ସବୁ କୁକୁର । ତାଙ୍କ ସମ୍ମୁଖରେ ନତମସ୍ତକ ରହିବାକୁ ରୋକଠୋକ କହୁଛନ୍ତି । ଯେଉଁଥି ପାଇଁ ଦଳର ସମସ୍ତ ବିଧାୟକ, ମନ୍ତ୍ରୀ ତାଙ୍କ ଆଗରେ ଯୋଡହସ୍ତ । ତାଙ୍କୁ ଦେଖି ଦୁଇ ହାତରେ ତାଙ୍କ ପାଦ ଛୁଇଁବାକୁ ମଧ୍ୟ ପଛାଉନାହାନ୍ତି । ଏହା ବ୍ୟତୀତ, ଯାଜପୁର ବିଧାୟକ ତଥା ବିଜେଡିର ଚାଣକ୍ୟ ବବିଙ୍କୁ ମଧ୍ୟ ପାଣ୍ଡିଆନ ସମାନ ଧମକ ଦେବାକୁ ପଛାଇ ନାହାନ୍ତି । ସେହି ଧମକ ପରେ ଚାଣକ୍ୟ ମଧ୍ୟ ତାଙ୍କ ପାଦ ଛୁଇଁଥାନ୍ତି ବୋଲି ପାଣିଗ୍ରାହୀ କହିଛନ୍ତି । ପାଣିଗ୍ରାହୀଙ୍କ ମନ୍ତବ୍ୟ ଶୁଣିବା ପରେ ପୁନଃ ମାନସପଟରେ ପ୍ୟାରୀ ମହାପାତ୍ରଙ୍କ ସମୟର ଘଟଣାବଳୀ ପ୍ରସ୍ପୁଟିତ ହୁଏ । ତେବେ ବାରମ୍ବାର ପାଣିଗ୍ରାହୀ ପାଣ୍ଡିଆନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏକାଧିକ ଅଭିଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁ ଚୁପ ବସିଛନ୍ତି । ଜଣେ ପ୍ରଶାସକ ଜନପ୍ରତିନିଧିଙ୍କୁ କୁକୁର କହିବା କେତେଦୂର ଯୁକ୍ତିଯୁକ୍ତ । ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେବେ କି? ମୁଖ୍ୟମନ୍ତ୍ରୀ ପାଣିଗ୍ରାହୀଙ୍କ ଆହ୍ୱାନକୁ ସ୍ୱୀକାର କରି ପାଣ୍ଡିଆନଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରିକାହିଁ ପାଣିଗ୍ରାହୀଙ୍କ ମୁହଁ ବନ୍ଦ କରିବା ସହ ଜନତାଙ୍କୁ ତାଙ୍କ ସ୍ୱଚ୍ଛତାର ପ୍ରମାଣ ଦେଉ ନାହାନ୍ତି?
(ବହିଷ୍କାରର ୫ ଦିନ ପରେ ତାଙ୍କୁ ଆଜି ଉଠାଇ ନିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । କିଛି ଲୋକ ନିଜକୁ କ୍ରାଇମବ୍ରାଞ୍ଚର ଅଧିକାରୀ ପରିଚୟ ଦେଇ ତାଙ୍କୁ ଉଠାଇ ନେଇଛନ୍ତି । ତାଙ୍କ ସ୍ୱାମୀଙ୍କର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସୁଜାତା କହିଛନ୍ତି । )