ନୟାଗଡ଼: ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ବିପହରରେ ସୁନା ଚେନ ଲୁଟିନେବା ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ଥାନାଧିକାରୀଙ୍କ ସୁନା ଚେନ ଲୁଟର ୨୪ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି ପୋଲିସ। ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ କରିଛି ଟାଉନ ପୋଲିସ। ସେମାନେ ହେଲେ ସମ୍ପଦ ଦାଶ ଓ କାଳୀ ପ୍ରସାଦ ରାଉତ। ସେମାନଙ୍କ ନିକଟରୁ ଥାନାଧିକାରୀଙ୍କ ଚେନ ସମେତ ଅନ୍ୟ ସ୍ଥାନରୁ ଲୁଟ କରିଥିବା ୪ଟି ଚେନ ଜବତ କରିଥିବା ବେଳେ ଲୁଟରେ ବ୍ୟବହୃତ ପଲସର ବାଇକକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ନୟାଗଡ଼ ଏସଡିପିଓ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗତ ରବିବାର ନୟାଗଡ଼ ସଦର ଥାନାର ପୂର୍ବତନ ଆଇଆଇସି ମନୋରମା ମଲ୍ଲିକ ସ୍କୁଟି ଯୋଗେ ଡିଆଇବିରୁ ନିଜ ଭଡାଘରକୁ ଫେରୁଥିବା ବେଳେ ୨ଜଣ ହେଲମେଟ ପିନ୍ଧା ଯୁବକ ଟ୍ରାଫିକ ଛକରୁ ତାଙ୍କୁ ପିଛା କରିଥିଲେ । ଘର ନିକଟରେ ସ୍କୁଟିକୁ ଧକ୍କା ଦେବାରୁ ଥାନାଧିକାରୀ ତଳେ ପଡିଯାଇଥିଲେ। ଏହାର ସୁଯୋଗ ନେଇ ୨ ଦୁର୍ବୃତ୍ତ ମନୋରମାଙ୍କ ବେକରୁ ସୁନା ଚେନ ଲୁଟି ନେଇଯାଇଥିଲେ। ଅଭିଯୋଗ ପାଇ ଟାଉନ ଥାନା ପୋଲିସ ସହରରେ ଲାଗିଥିବା ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ବାଇକ ନମ୍ବର ଅନୁସାରେ ଖୋର୍ଦ୍ଧା ଟାଉନର ଦୁଇ ଅପରାଧୀଙ୍କ ନିକଟରେ ପହଞ୍ଚିପାରିଥିଲା। ସମ୍ପୃକ୍ତ ୨ ଅପରାଧୀଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ଏସଡିପିଓ କହିଛନ୍ତି । ସେପଟେ ବଦଳି ହୋଇ ଜିଲ୍ଲା ଛାଡିବା ପୂର୍ବରୁ ପୂର୍ବତନ ଆଇଆଇସିଙ୍କୁ ଲକ୍ଷାଧିକ ଟଙ୍କାର ଚେନ ମିଳିଯାଇଛି।
previous post
next post