ଓଡିଶା

୧୦ ଜିଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ଏଲୋ ୱାରିଂ ଜାରି

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ଧରି ବର୍ଷା ସମ୍ଭାବନା ରହିଛି। ଉତ୍ତରପୂର୍ବ ବଙ୍ଗୋପସାଗରରେ ଥିବା ଲଘୁଚାପ ଆସନ୍ତା ୨ରୁ ୩ଦିନ ଭିତରେ ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ। ଏହାର ପରବର୍ତ୍ତୀ ୨୪ଘଣ୍ଟାରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଦିଗରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏଥିନେଇ ୧୦ଟି ଜିଲ୍ାକୁ ଅରେଞ୍ଜ ଓ ୭ଟି ଜିଲାକୁ ଏଲୋ ୱାରିଂ ଜାରି କରାଯାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ସକାଳ ସାଢ଼େ ୮ ସୁଦ୍ଧା ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢ଼େଙ୍କାନାଳ ଆଦି ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ସବୁ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, କଟକ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବଲାଙ୍ଗୀର ଆଦି ୧୦ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କୋରାପୁଟ ଓ ମାଲକାନଗିରି ଆଦି ୭ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ୨୨ତାରିଖ ସକାଳ ସୁଦ୍ଧା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଆଦି ୭ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଏସବୁ ଜିଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ସୋନପୁର, ବୌଦ୍ଧ, ଅନୁଗୋଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ୫ଟି ଜିଲାକୁ ଅରେଞ୍ଜ ଏବଂ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢ଼େଙ୍କାନାଳ ଆଦି ୪ଟି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୩ ତାରିଖ ସକାଳ ସୁଦ୍ଧା ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଏହି ତିନିଟି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ଦୁଇ ଦିନ ପାଇଁ କୌଣସି ସତର୍କ ସୂଚନା ନାହିଁ। ଲଘୁଚାପ ସମୟରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ଆସନ୍ତା ୨୩ତାରିଖ ପର୍ୟ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଏହାଛଡ଼ା ଲଘୁଚାପ ଜନିତ ବର୍ଷା କାରଣରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନକୁ ପ୍ରସ୍ତୁତ ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ମିଆଁମାର ଉପକୂଳରେ ‘ନଉଲ’ ବାତ୍ୟାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା ୫ଟାରେ ପାରାଦ୍ୱୀପଠାରୁ ଦୂରରେ ପଶ୍ଚିମ-ଉତ୍ତର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିଲା। ଏଥିସହିତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏହି ଲଘୁଚାପ କ୍ଷେତ୍ର ସହିତ ମିଶିଯିବା ଫଳରେ ଆସନ୍ତାକାଲି ସକାଳ ସୁଦ୍ଧା ରାଜ୍ୟର ଉତ୍ତର ଉପକୂଳ, ଭଦ୍ରକରୁ ବାଲେଶ୍ୱର ଭିତରେ ସ୍ଥଳଭାଗ ଛୁଇଁବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ସୁନ୍ଦରଗଡ଼ ଦେଇ ଉତ୍ତର ଛତିଶଗଡ଼କୁ ମୁହାଁଇପାରେ।
ଆକଳନ କରାଯାଉଛି ଯେ ଏହାର ପ୍ରଭାବରେ ୨୨ତାରିଖ ପର୍ୟ୍ୟନ୍ତ ପାଗ ମେଘୁଆ ରହିବ। ଆସନ୍ତାକାଲି ନବରଙ୍ଗପୁରରୁ ଝାରସୁଗୁଡ଼ା ପର୍ୟ୍ୟନ୍ତ ଅଞ୍ଚଳ ଏବଂ ଉପକୂଳ ଜିଲାରେ ମଧ୍ୟମ ଧରଣର ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ବର୍ଷା ପରିମାଣ କମିଯିବା ସହିତ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ଉପକୂଳ ଜିଲାଗୁଡ଼ିକରେ ୨୪ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗିରହିପାରେ। ଆସନ୍ତା ୨୨ତାରିଖ ପର୍ୟ୍ୟନ୍ତ ତିନି ଦିନ ଭିତରେ ରାଜ୍ୟରେ ସମୁଦାୟ ହାରାହାରି ୬୦ରୁ ୭୦ମିମି ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

Related posts

୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ,  ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା 

mahabharatanews

ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେ ମାନେ ଓଡ଼ିଶାର ଗୌରବ: ମୁଖ୍ୟମନ୍ତ୍ରୀ

mahabharatanews

ମହାନଦୀ କୂଳରେ ବାଲିଯାତ୍ରା

mahabharatanews