ରାଉରକେଲା: ଗତକାଲି ବାପାଙ୍କର ଥିଲା ଶ୍ରାଦ୍ଧ । ଟେଣ୍ଟ ବନ୍ଧା ଯାଇଥିଲା । ଶ୍ରାଦ୍ଧକାର୍ଯ୍ୟ ହେଲା । ହେଲେ ରାତିରେ କଣ ହେଲା, କେମିତି ଘରେ ଲାଗିଗଲା ନିଆଁ । ନିଆଁରେ ଘରର ୪ ଜଣଙ୍କ ଗୁରୁତର ହୋଇ ରାଉରକେଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ ଓ ୯ ବର୍ଷୀୟା ନାତୁଣୀ ଅଛନ୍ତି। ବ୍ରଜରାଜନଗର ହରିଓମ ବିହାରରେ ଗତରାତିରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି।
ରାଉରକେଲା ହରିଓମ ବିହାରର ଜଣେ ବ୍ୟକ୍ତିଙ୍କ ବାପାଙ୍କର ଶ୍ରାଦ୍ଧ ରବିବାର ଥିଲା । ଶ୍ରାଦ୍ଧ କ୍ରିୟା ପରେ ସମସ୍ତେ ନିଜ ଘରକୁ ଚାଲିଯାଇଥିଲେ । କିନ୍ତୁ ଘରେ ପୁଅ, ମା, ବିବାହ କରିଥିବା ଝିଅ ଓ ନାତୁଣୀ ଥିଲେ । ରାତିରେ ଖାଇ ପିଇ ଶୋଇଲେ । କିନ୍ତୁ ଭୋର ୪ଟାରେ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆରେ ପୋଡିଯାଇ ସମସ୍ତ ସଦସ୍ୟ ଚିକ୍ରାର କରିବାରୁ ପାଖ ପଡିଶା ନିଆଁ ଦେଖି ଘରେ ପଶି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ପ୍ରଥମେ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡଗ୍ ସ୍କ୍ୱାଡ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି ।
