(ମହାଭାରତ, ବ୍ରହ୍ମପୁର): ଓଡ଼ିଶାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶ୍ରମିକମାନେ ଠିକାଦାରଙ୍କ ନିର୍ଯାତନାର ଶିକାର ହେବା ଘଟଣା ନୂଆ ନୁହେଁ । ଏଭଳି ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ କିଛି ଆଖି ଦୃଶିଆ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିନାହିଁ । ଏଭଳି ପରିସ୍ଥିତିରେ କର୍ଣ୍ଣାଟକରେ ନିର୍ଯାତିତ ଅବସ୍ଥାରେ ଥିବା ଗଞ୍ଜାମର ୪୨ ଜଣ ଶ୍ରମିକ କୌଣସିମତେ ସେଠାରୁ ଖସି ଆସିବାରେ ସଫଳ ହୋଇଛନ୍ତି । ଏନେଇ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣା ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସ୍କା, ସେରଗଡ, ଦିଗପହଣ୍ଡି ଅଞ୍ଚଳର ଏହି ଶ୍ରମିକମାନେ ପ୍ରାୟ ୩ ମାସ ତଳେ ଜଣେ ଠିକାଦାରଙ୍କ ନେତୃତ୍ୱରେ କର୍ଣ୍ଣାଟକରେ ଥିବା ଏକ ସିମେଣ୍ଟ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଶ୍ରମିକଙ୍କ ଖାଇବା ଓ ରହିବା ବ୍ୟବସ୍ଥା ସହ ମାସିକ ୧୩ ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ ବୋଲି ଠିକାଦାର ଜଣକ କହିଥିଲେ । କିନ୍ତୁ ୩ ମାସ ହେବ ସେମାନଙ୍କୁ ଦରମା ଦିଆଯାଇନଥିଲା । ଶେଷରେ ବାଧ୍ୟ ହୋଇ ଶ୍ରମିକମାନେ ଲୁଚିଛପି ଟ୍ରେନ ଯୋଗେ ନିଜ ଗାଁକୁ ଫେରି ଆସିଛନ୍ତି । ଘରକୁ ଫେରିବା ପରେ ସେଠାକାର ଅନୁଭୁତି ବର୍ଣ୍ଣନା କରି ସେମାନେ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସେଠାରେ ଦରମା ମାଗିଲେ ମାଡ ମାରିବା ସହ ନିର୍ଯାତନା ଦିଆଯାଉଥିଲା ବୋଲି ଶ୍ରମିକମାନେ ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରମିକମାନଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଠିକାଦାର ଜଣକ ଫେରାର ଥିବା ଜଣାପଡିଛି ।
previous post