ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ଦେଖାଦେଇଥିଲା ପ୍ରବଳ ହଟ୍ଟଗୋଳ । ତେବେ ଏହି ହଟଗୋଳ ମଧ୍ୟରେ ଗୃହରେ ୭ଟି ବିଲ ଉପସ୍ଥାପିତ ହୋଇଛି । ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ଉପସ୍ଥାପନ କରିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ବିଲ୍, ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ ।
ମନ୍ତ୍ରୀ ସୁଦାମ ମାରାର୍ଣ୍ଡି ଭାରତୀୟ ଷ୍ଟାମ୍ପ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ଉପସ୍ଥାପନ କରିଥିଲେ । ସେହିପରି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ୍ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଡ଼ିଶା ବୈଷୟିକ ଓ ଗବେଷଣା ଓ ବିଶ୍ଵ ବିଦ୍ୟାଳୟ ବିଲ ଉପସ୍ଥାପନ କରିଥିଲେ ।
ଗୋଟିଏ ପଟେ ଗୃହରେ ହଟଗୋଳ ଚାଲିଥିଲା, ଅନ୍ୟପଟେ ମନ୍ତ୍ରୀମାନେ ବିଲ୍ ଉପସ୍ଥାପନ କରିଥିଲେ । ଏଭଳି ଅବସ୍ଥାରେ ଗୃହରେ କେଉଁ ବିଲ ଉପସ୍ଥାପନ ହେଉଛି ତାହା ଜଣାପଡିନଥିଲା । କେଉଁ ବିଲ୍ ରିଆପିଲ୍ ହେବାର ଅଛି ତା’ର କପି ମଧ୍ୟ ଦିଆଯାଇନଥିବାରୁ ଗୃହରେ ପ୍ରତିବାଦ କରିଥିଲା କଂଗ୍ରେସ ।