ଭୁବନେଶ୍ୱର : ଗତ ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ଖର୍ଚ୍ଚ ସମ୍ପର୍କରେ ଜଣାପଡିବା ପରେ ସମସ୍ତଙ୍କ ଆଖି ଖୋସି ହୋଇଯାଇଛି । ଏହି ନିର୍ବାଚନରେ ବିଜେଡି ପ୍ରାୟ ୨୨୮କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଥିବା ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ମାତ୍ର ଏହାଠାରୁ ଅଧିକ ଖର୍ଚ୍ଚ କରାଯାଇଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଗତ ୨୦୧୪ ସାଧାରଣ ନିର୍ବାଚନରେ ଦଳ ୧୨.୭୬କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୧୯ ନିର୍ବାଚନରେ ୧୯ଗୁଣା ଅଧିକ ଖର୍ଚ୍ଚ କରିଥିବା ଜଣାପଡିଛି । ଆଉ ଏଥିରେ ପାଟକୁରା ଉପନିର୍ବାଚନର ଖର୍ଚ୍ଚ ସାମିଲ ହୋଇନଥିବା ଜଣାପଡିଛି ।
ନିର୍ବାଚନ କମିଶନଙ୍କ ସୂଚନାନୁସାରେ, ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାରଣ ପାଇଁ ବିଜେଡି ୭୧.୨୬ କୋଟି ଟଙ୍କା କରିଛି । ପ୍ରିଣ୍ଟ ମିଡିଆରେ ୫୧.୭୭ କୋଟି, ଇଲେକ୍ଟ୍ରୋନିକ୍ସ ମିଡିଆରେ ୧୨.୪୨କୋଟି ଏବଂ ସୋସିଆଲ ମିଡିଆରେ ୫.୨୬ କୋଟି ଟଙ୍କା ଖର୍ଚ୍ଚ କରିଛି । ଏଥିସହିତ ନିର୍ବାଚନରେ ସଭାରେ ବ୍ୟବହୃତ ବ୍ୟାନର,ପୋଷ୍ଟର, ଷ୍ଟିକର ପ୍ରଭୃତି ତିଆରି କରିବା ଦିଗରେ ୧୬.୮୬ କୋଟି ଏବଂ ଷ୍ଟାର ପ୍ରଚାରକଙ୍କ ଗସ୍ତ ଖର୍ଚ୍ଚ ବାବଦରେ ୧୧.୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ବିଭିନ୍ନ କ୍ଷେତ୍ରରେ ୱାଲ ପେଷ୍ଟିଂ, ହାଲୋଗ୍ରାମ, ଭିଡିଓ ରେକର୍ଡିଂରେ ୪୫.୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଯାଇଛି । ଏହିପରି ସର୍ବମୋଟ ୧୯୩.୭୪କୋଟି ଖର୍ଚ୍ଚ ହୋଇଥିବା ବେଳେ ପ୍ରାର୍ଥୀମାନଙ୍କ ନିର୍ବାଚନ ସମ୍ପର୍କିତ ଖର୍ଚ୍ଚ ବାବଦରେ ୩୪.୦୫ କୋଟି ଟଙ୍କା ଏହିପରି ୨୨୭.୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ପ୍ରକାଶ ।
ଅପରପକ୍ଷେ, ନିର୍ବାଚନରେ ବିଜେଡିର ଖର୍ଚ୍ଚର ହିସାବ ଆହୁରି ଅଧିକ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏହି ନିର୍ବାଚନରେ ୨ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି ବୋଲି ବିରୋଧୀ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି । ଏଥିପୂର୍ବରୁ ୧୯ବର୍ଷ ମଧ୍ୟରେ ଦଳ ପକ୍ଷରୁ ହୋଇଥିବା ବହୁ କଳାଧନ ଏହି ନିର୍ବାଚନରେ ବିନିଯୋଗ ହୋଇଛି ବୋଲି ଶ୍ରୀ ସାଲୁଜା କହିଛନ୍ତି । ବିଜେଡି ପକ୍ଷରୁ ଦିଆଯାଇଥିବା ଖର୍ଚ୍ଚର ହିସାବ ସମ୍ପୂର୍ଣ୍ଣ ଠିକ୍ ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ତେଣୁ ବିରୋଧୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ ବୋଲି କୁହାଯାଇଛି ।
previous post
next post
