ଓଡିଶା

ମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ମଧୁ ଆପ୍ ଜରିଆରେ ମୋବାଇଲ୍ ବ୍ୟବହାର କରି ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢି଼ପାରିବେ ଛାତ୍ରଛାତ୍ରୀ । ତା ସହ ଚାପ୍ଟର୍ ଶେଷରେ ମଡେଲ୍ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢି଼ ତାହାର ଉତ୍ତର ଲେଖି ତାହା କେତେଦୂର ଠିକ୍ ବା ଭୁଲ, କେତେ ମାର୍କ ଆସିପାରିବ ତାହା ମଧ୍ୟ ଜାଣିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବୈଷୟିକ ପ୍ରଯୁକ୍ତି ବିଦ୍ୟା କୌଶଳ ‘ମଧୁ ଆପ୍’କୁ ପ୍ରସ୍ତୁତ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ । ଆଜି ଏହି ଆପ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଭିଡ଼ିଓ କନଫରେନଓ ଦ୍ୱାରା ଜିଲ୍ଲା ସଦର ମହକୁମାର ଛତ୍ରପୁର ଠାରେ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଉଦ୍ଘାଟିତ କରିଛନ୍ତି। ରାଜ୍ୟର ବିଶିଷ୍ଟ ମହାପୁରୁଷ ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍ର ନାମକରଣ କରାଯାଇଛି ।
ଏହି ଅବସରରେ ଗଞ୍ଜାମ ଜିଲ୍ଲାର ୨୨ବ୍ଳକର ଛାତ୍ରଛାତ୍ରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ’ ସଂପର୍କରେ କଥା ବାର୍ତ୍ତା ହୋଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲା ମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ତେଣୁ ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସେ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତ୍ୟାଗ ବିଷୟରେ ଆଲୋଚନା କରି ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ ।
ଏହି ଆପ ମାଧ୍ୟମରେ ମାତୃଭାଷା ଆଧାରିତ ଭର୍ଚୁଆଲ୍ କ୍ଲାସ୍- ରୁମ୍ ଅନୁଭୂତି ପାଇପାରିବେ ବିଦ୍ୟାର୍ଥୀ । ଅନ୍ୟ ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ହାତରେ କ୍ଲାସ୍ରୁମ୍ ଇନ୍ ମୋବାଇଲ୍ ସୁବିଧା ବୋଲି କହିହେବ । ପଢ଼ା ବହିରେ ଥିବା ପାଠ୍ୟବିଷୟର ଶିକ୍ଷାଦାନ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ରେକର୍ଡିଂ କରାଯାଇଛି । ଏଥିସହ ଅଭ୍ୟାସ ପ୍ରଶ୍ନ ଓ ତାହାର ଉତ୍ତର ମଧ୍ୟ ଚାପ୍ଟର୍ ଓ ବିଷୟ ଅନୁସାରେ ରହିବ । ଛାତ୍ରଛାତ୍ରୀମାନେ ଗୁଗଲ୍ ପ୍ଲେ-ଷ୍ଟୋର୍କୁ ଯାଇ ଏହି ଆପ୍ ଡାଉନ୍ଲୋଡ୍ କରିପାରିବେ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସ୍ରେ ପଞ୍ଜୀକରଣ କରି ବହି ପାଠକୁ ଡିଜିଟାଲ୍ ପଦ୍ଧତିରେ ପଢି଼ପାରିବେ । ନିଜେ ଶିକ୍ଷକ ସାଜି ପ୍ରଶ୍ନୋତ୍ତରର ମୂଲ୍ୟାୟନ ବି କରିପାରିବେ ଛାତ୍ରଛାତ୍ରୀ।ଏବେ ଅଧିକ ପଢ଼ା ପାଇଁ କିଛି ଛାତ୍ରଛାତ୍ରୀ ଟ୍ୟୁସନ୍ ଯାଉଛନ୍ତି । ଆଉ ସେମାନଙ୍କୁ ତାହା ଦରକାର ପଡ଼ିବନି । ସରକାରୀ ସ୍କୁଲ ଟିଚର୍ଙ୍କୁ ନେଇ ପ୍ରଥମ କରି ରାଜ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପ୍ରାଥମିକ ପର୍ୟ୍ୟାୟରେ ୫ମ, ୬ଷ୍ଠ, ୭ମ, ୮ମ ଓ ୧୦ମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମ ଅପ୍ଲୋଡ୍ ହୋଇଛି ।

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ଜଣଙ୍କ ମୃତ୍ୟୁ

mahabharatanews

ଜନସାଧାରଣଙ୍କ ନିମନ୍ତେ ଲାଗିଲା ସାନିଟାଇଜର ମେସିନ

mahabharatanews

ବିଧାୟକଙ୍କ କରକମଳରେ ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପ

mahabharatanews