ଓଡିଶା

ଲୁଟେରାଙ୍କ ଆତଙ୍କରାଜ ଚିକିତ୍ସାଧୀନ ଅବସ୍ଥାରେ ଲୁଟର ଶିକାର ହୋଇଥିବା ବିଧବା ବୃଦ୍ଧାଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି: ଦୀର୍ଘ ଦିନ ହେଲା ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ପୋଲିସ ପ୍ରଶାସନର ଜ୍ଞାତସାରରେ ଲୁଟେରାଙ୍କ ଅଭୟାରଣ୍ୟରେ ପରିଣତ ହୋଇଛି । ଗତ ୪ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ଲୁଟେରାଙ୍କ ଆକ୍ରୋଶର ଶିକାର ହୋଇଥିବା ଜନୈକା ବୃଦ୍ଧା ଅବଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ଘଟଣାଟି ସାଧାରଣରେ ଗଭୀର ଶୋକର ଛାୟା ଖେଳାଇଦେଇଛି । ଗତ ୪ ତାରିଖ ଦିନ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଗ୍ରାମ ପଞ୍ଚାୟତ ମାଳିଗାଁର ସ୍ୱର୍ଗତ ସେକ ମଇଉଦ୍ଦିନ୍ଙ୍କ ବିଧବା ପତ୍ନୀ ତାହେରା ବିବି ୬୦ବର୍ଷ ତାଙ୍କର ପୁତ୍ର ସେକ୍ ଅନିସୁଦ୍ଦିନଙ୍କ ସହ ଯାଇ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁପାଟଣା ଶାଖାରୁ ୨୦ହଜାର ଟଙ୍କା ଉଠାଇ ନିଜ ଘର ଅଭିମୁଖେ ଫେରୁଥିଲେ । ଏହି ସମୟରେ ମାଆ ପୁଅ ନିଶ୍ଚିନ୍ତକୋଇଲି ବଜାରରୁ କିଛି ଫଳ,ମୂଳ କ୍ରୟ କରି ନିଜର ପ୍ୟାସନ ପ୍ରୋ ଗାଡ଼ିରେ ୮ନଂ କେନାଲ ବନ୍ଧ ରାସ୍ତା ଦେଇ ନିଜ ଘରକୁ ଯାଉଥିଲେ । ଏହି ସମୟରେ ମୁହଁରେ କପଡ଼ା ବାନ୍ଧି ଏକ କଳା ପଲସର ଗାଡ଼ିରେ ୨ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ନିଶ୍ଚିନ୍ତକୋଇଲି ବଜାରର ଅନତି ଦୂରରେ ଥିବା ୮ନଂ କେନାଲ ବନ୍ଧର ସରପଡ଼ା ଶନିମନ୍ଦିର ନିକଟରେ ସମ୍ପୃକ୍ତ ଲୁଟେରାଦ୍ୱୟ ତାହେରାଙ୍କ ଠାରୁ ବ୍ୟାଗ ସହ ସମସ୍ତ ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ଫଳରେ ତାହେରା ଚଳନ୍ତା ବାଇକରୁ ତଳକୁ ଖସିପଡ଼ି ଲହୁଲୁହାଣ ହେବା ସହ ଗୁରୁତର ଭାବେ ଆହତ ହୋଇଥିଲେ । ବୁହାଳୋ ଗ୍ରାମ ପଞ୍ଚାୟତ ବିଜୁ ଯୁବବାହିନୀର ସଭାପତି ଚକ୍ରଧର ପଲେଇ , କୋଷାଧ୍ୟକ୍ଷ ରମାକାନ୍ତ ବେହେରା, ସଭ୍ୟ ପ୍ରସନ୍ନ କୁମାର ଓଝା ପ୍ରମୁଖ ଗୁରୁତର ଅବସ୍ଥାରେ ତାହେରାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାହେରାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୀର୍ଘ ୪ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାହେରାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଶବକୁ ବ୍ୟବଚ୍ଛେଦ କରାଯାଇ ମାଳିଗାଁ ଠାରେ ଶୋକାକୂଳ ପରିବେଶରେ ଇସଲାମ ଧର୍ମାନୁଯାୟୀ କବର ଦିଆଯାଇଛି । ଏ ସମ୍ପର୍କରେ ତାଙ୍କର ପୁତ୍ର ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସି ଏହି ଅଭିଯୋଗ ଉପରେ ତଦନ୍ତ ଜାରି ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ଏହି ବ୍ଳକର କୁଳିଆ ନିକଟରେ ଲୁଟେରାଙ୍କ ଆକ୍ରମଣର ଶୀକାର ହୋଇ ନତକାଇ ଅଞ୍ଚଳର ଜନୈକା ମହିଳା ବାଇକରୁ ପଡ଼ି ମୃତ୍ୟୁବରଣ କରିଥିବାର ନଜିର ରହିଛି ।

Related posts

ଏକାମ୍ରହାଟ ନବୀକରଣ ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews

୨୧ରେ କଂଗ୍ରେସର ମହିଳା ସମାବେଶ

mahabharatanews

ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

mahabharatanews