(ମହାଭାରତ, ବାଲିଗୁଡା): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁଡୁପାଗୁଡି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଗୁଣି ଗାରେଡି ସନ୍ଦେହରେ ନିଜ ଦାଦାଙ୍କୁ ପୁତୁରା ହତ୍ୟା କରିବାକୁ ପଛାଇନାହିଁ । ଏଥିରେ ପୁତୁରାର ସମ୍ପର୍କୀୟ ମାମୁ ମଧ୍ୟ ସାମିଲ ଥିବା ଜଣାପଡିଛି । ମୃତକଙ୍କ ନାଁ ସୁଦାମ ମଳିକ ହୋଇଥିବା ବେଳେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦ୍ୱୟ ସୁମନ୍ତ ମଲ୍ଲିକ ଓ କୁଟୁରୁସା ମଳିକ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ, ଗତ ଜାନୁଆରୀ ୩ ତାରିଖ ସନ୍ଧ୍ୟାରେ ସୁଦାମ ଗାଁ ନିକଟ ଜଙ୍ଗଲରେ ଥିବା ଜମି ଜଗିବାକୁ ଯାଇଥିଲେ । କିଛି ସମୟ ମଧ୍ୟରେ ଅଭିଯୁକ୍ତ ପୁତୁରା ସୁମନ୍ତ ଓ ତା ମାମୁ କୁଟୁରୁସା ସେଠାରେ ପହଞ୍ଚିଥିଲେ । ସେମାନେ ମିଳିତ ଭାବେ ସୁଦାମଙ୍କୁ କଟୁରିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅଭିଯୁକ୍ତ ଦ୍ୱୟ ମୃତଶରୀରକୁ ଜଙ୍ଗଲରେ ପୋଡି ଦେଇଥିଲେ । ଏକଥା ବାହାରେ ପଷ୍ଠଦ୍ଭଙ୍କ ନ କରିବାକୁ ସେମାନେ ମୃତକଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ । ପରେ ବାହାରେ ରହୁଥିବା ମୃତ ସୁଦାମଙ୍କ ସାନ ଭାଇ ପ୍ରତାପ ମଳିକ ଘଟଣା ବିଷୟରେ ଖବର ପାଇ ଗତ ୧୧ ତାରିଖରେ ବ୍ରାହ୍ମଣୀଗାଁ ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଗତ ସୋମବାର ପୋଲିସ ଅଭିଯୁକ୍ତ ପୁତୁରା ଓ ତା ମାମୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।