(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଯୋଡାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲାଗିଛି । ଜିଲ୍ଲା ପ୍ରଶାସନର ସହାୟତା ଠାରୁ ବିଚ୍ଛିନ୍ନାଞ୍ଚଳବାସୀ ଦୁରେଇ ରହିବା ପାଇଁ ନକ୍ସଲ ପୋଷ୍ଟରରେ କଡା ଚେତାବନୀ ଦିଆଯାଇଛି । ଏହାସହ ଜନ୍ତୁରାଇ ଗାଁରେ ନକ୍ସଲ ସହଯୋଗୀଙ୍କ ଉପରେ ଆକ୍ରମଣ ପଛରେ ପୋଲିସର ହାତ ଥିବା ଲେଖାଯାଇଛି । ପୋଲିସକୁ ସହଯୋଗ କଲେ ଗାଁ ଲୋକଙ୍କୁ ହତ୍ୟା କରାଯିବ ବୋଲି ଏଥିରେ ଚେତାବନୀ ଦିଆଯାଇଛି । ସେହିପରି ଅନ୍ୟପକ୍ଷରେ ମାଲକାନଗିରି ଆଦିବାସୀ ବିକାଶ ପରିଷଦ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନକ୍ସଲଙ୍କ କାର୍ଯ୍ୟକଳାପ ବିରୋଧରେ ବ୍ୟାନର ଲଗାଯାଇଛି । ଏଥିରେ ଲେଖାଯାଇଛି ଯେ ନକ୍ସଲମାନେ ବିଚ୍ଛିନାଞ୍ଚଳର ବିକାଶ ଚାହାନ୍ତି ନାହିଁ । ଅଞ୍ଚଳର ବିକାଶ କାର୍ଯ୍ୟକୁ ବିରୋଧ କରି ରାସ୍ତାକାମ କରାଇ ଦେଉନାହାନ୍ତି । ନକ୍ସଲମାନେ ଦେଶ ବିରୋଧୀ, ଜନ ହିତ ବିରୋଧୀ ବୋଲି ବ୍ୟାନରରେ ଲେଖାଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ ୨୫ ତାରିଖରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଗ୍ରାମବାସୀ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।
previous post