ଓଡିଶା

ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ

ଡେରାବିଶ/କେନ୍ଦ୍ରାପଡା: ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ସିଭିଲ କୋର୍ଟ ପରିସରରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ୨୦୧୯ ନଭେମ୍ବର ୨ତାରିଖର ନୋଟିଫିକେସନ ଅନୁଯାୟୀ “ସ୍ଥାୟୀ ଲୋକ ଅଦାଲତ” ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡାଙ୍କ ଦ୍ୱାରା ଏହି ଉଦ୍ଘାଟନ କରାଯାଇଛି । ଏହି ଅଦାଲତରେ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଦୌରାଜଜ ନମିତା ଦାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏତଦବ୍ୟତିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ ସହାୟକ ହରେକୃଷ୍ଣ ବରାଳ ଓ ଅବସରପ୍ରାପ୍ତ ବରିଷ୍ଠ ସହାୟକ ଅକ୍ଷୟ କୁମାର ନାୟକ ଏହି ଲୋକ ଅଦାଲତର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହି ଅଦାଲତ ଖୋଲିବା ଦ୍ୱାରା ଅଭିଯୋଗକାରୀମାନେ ସିଧାସଳଖ କୋର୍ଟରେ କେଶ ନକରି ଏହି ଏଠାରେ ସର୍ବସାଧାରଣ ବ୍ୟବହାର୍ଯ୍ୟ ସେବା (ପି.ୟୁ.ଏସ.) ଯଥା ପରିବହନ, ଡାକଘର, ଟେଲିଗ୍ରାଫ କିମ୍ବା ଟେଲିଫୋନ, ବିଦ୍ୟୁତ ଆଲୋକ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥାରେ ସଙ୍କୋଚତା, ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା, ବୀମା ସେବା, ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ସେବା, ଗୃହ ଏବଂ ଗୃହ ଯୋଗାଣକାରୀ ସଂସ୍ଥା, ବ୍ୟାଙ୍କ ଅନୁଷ୍ଠାନ ସେବା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନିୟମ – ୨୦୦୫ ସେବା, ରନ୍ଧନ ଗ୍ୟାସ ସଂଯୋଗ ଏବଂ ଯୋଗାଇଦେବା, ଆଧାରକାର୍ଡ ,ରେସନ କାର୍ଡ,ଭୋଟରକାର୍ଡ ଓ ବିପିଏଲ କାର୍ଡ ସେବା, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ସେବା ପ୍ରଭୃତି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସର୍ବସାଧାରଣ ବ୍ୟବହାର୍ଯ୍ୟ ସେବା ଯାହାକି ଆଇନ ସେବା ପ୍ରାଧିକରଣ ନିୟମ ଫର୍ଦ୍ଦ-୬ଷ୍ଠ(ଏ) ଅଧୀନରେ ଆସୁଅଛି ସେ ସମ୍ପର୍କିତ ସେବା ପାଇବା ପାଇଁ ଅଭିଯୋଗ କରିପାରିବେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାଦୌରାଜଜ ବାସୁଦେବ ପଣ୍ଡା, ଅତିରିକ୍ତ ଜିଲ୍ଲାଦୌରାଜଜ ମୋହନ ରାଓ ଦୋରା, ସିଭିଲକୋର୍ଟ ରେଜିଷ୍ଟ୍ରାର ପୂଣ୍ୟଶ୍ଳୋକ ରଥ, ଜିଲ୍ଲା ଆଇନସେବା ପ୍ରାଧରକରଣ ସଚିବ ମଳୟ କୁମାର ପ୍ରଧାନ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ପୋଖରୀରେ ଖସିପଡିଲା ମହିନ୍ଦ୍ରା ଭ୍ୟାନ

mahabharatanews

 ମନ୍ଦିର ବାହାରୁ ନଡ଼ିଆ ଓ କଦଳୀ ନେଇ ଭୋଗ କରି ପାରିବେ ଭକ୍ତ

mahabharatanews

ରାଷ୍ଟ୍ରପତିଙ୍କ ଗ୍ରାମରେ ରେଡ୍ କ୍ରସ୍ ର ବହୁମୁଖି କାର୍ଯ୍ୟକ୍ରମ

mahabharatanews