(ଥିରୁବନନ୍ତପୁରମ): ଭୟଙ୍କର କୋରୋନା ଭାଇରସ ଭାରତରେ ପହଞ୍ଚିବା ପରଠାରୁ ଏବେ ଯାଏ ୩୪ ଜଣ ଏଥିରେ ଆକ୍ରାନ୍ତ ହେଲେଣି । ପୂର୍ବରୁ କେରଳରେ ୩ ଜଣ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଏବେ ପୁଣି ଆଉ ୫ ଜଣ କୋରୋନା ପଜିଟିଭ୍ଙ୍କ ଚିହ୍ନଟ ହୋଇଛି । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ ଶେଳଜା ରବିବାର ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ଏହି ୫ ଜଣ ଆକ୍ରାନ୍ତ ଗୋଟିଏ ପରିବାରର ଏବଂ ପଥାନାମଥିଟ୍ଟାର ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ ଜଣ ୨୯ ତାରିଖ ଦିନ ଇଟାଲୀରୁ ଫେରିଥିଲେ । ଏହି ତିନିଜଣଙ୍କ ସଂସ୍ପର୍ଶରେ ଆସି ଅନ୍ୟ ଦୁଇ ଜଣ ଏହି ଭୂତାଣୁ ସଂକ୍ରମିତ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ପଥାନାମଥିଟ୍ଟା ଜେନେରାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ପରିସ୍ଥିତି ନିୟନ୍ତ୍ରଣାଧିନ ଥିଲେ ବି ଜ୍ୱର ଓ ଥଣ୍ଡାରେ ପୀଡିତ ଲୋକମାନେ ସୋମବାର ଥିରୁବନନ୍ତପୁରମରେ ହେବାକୁ ଥିବା ମହିଳା ଉତ୍ସବ ଅତ୍ତୁକଲ ପୋଙ୍ଗଲରେ ଭାଗ ନ ନେବାକୁ ରାଜ୍ୟ ସରକାର କେରଳବାସୀଙ୍କୁ ନିବେଦନ କରିଛନ୍ତି । ସେହିପରି ତାମିଲନାଡୁର ଚେନ୍ନାଇରେ ଜଣେ କେରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ବିଲା ରାଜେଶ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଜଣକ ଫେବୃଆରୀ ୨୮ରେ ଜଣେ ଯାତ୍ରୀ ମସ୍କାଟରୁ ଫେରିଥିଲେ । ଚଳିତମାସ ୪ ତାରିଖରେ ତାଙ୍କୁ ଜ୍ୱର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାବ ନମୂନା ପରୀକ୍ଷା କରିବା ପରେ ତାହା କୋରୋନା ପଜିଟିଭ୍ ଥିବା ଜଣାପଡିବା ପରେ ତାଙ୍କୁ ଓ ତାଙ୍କର ପରିବାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି ।
previous post