ନୂଆଦିଲ୍ଲୀ: ତବଲିଗି ଜମାତ ମୁଖ୍ୟ ମୌଲାନା ସାଦ ବର୍ତ୍ତମାନ ନିଜର ଛବି ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଜମାତିଙ୍କୁ ସେ ଚିଠି ଲେଖି ସଂକ୍ରମଣରୁ ସୁସ୍ଥ ହୋଇଯାଇଥିବା ଜମାତି ତଥା ମୁସଲମାନଙ୍କୁ ଅନ୍ୟ ଲୋକଙ୍କୁ ପ୍ଲାଜମା ଦାନ କରି କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସହଯୋଗ କରିବାକୁ କହିଛନ୍ତି ।
ମଙ୍ଗଳବାର ଦିନ ଜାରି କରିଥିବା ଏକ ଚିଠିରେ ମୌଲାନା ସାଦ କହିଥିଲେ ଯେ ସେ ଓ ଜମାତର ଅନ୍ୟ ସଦସ୍ୟମାନେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ମୌଲାନା ସାଦଙ୍କ ଏହି ଚିଠି ବିଧାୟକ ଅମାନ୍ତୁଲ୍ଲା ଖାଁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ସାଦ କହିଛନ୍ତି ଯେ, ନିଜେ କ୍ୱାରେଣ୍ଟାଇନରେ ଥିଲେ ଓ କ୍ୱାରେଣ୍ଟାଇନରେ ଥିବା ଅଧିକାଂଶ ସଦସ୍ୟମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖା ଦେଇନାହିଁ । ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ ସୁସ୍ଥ ହୋଇସାରିଛନ୍ତି ।
ସାଦ କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ସଂକ୍ରମିତଙ୍କୁ ବ୍ଲଡ଼ ପ୍ଲାଜମା ଦେଇ ତାଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବା ଉଚିତ । ସାଦ ନିଜ ଅନୁଗାମୀଙ୍କୁ ଅପିଲ କରିଥିଲେ ରମଜାନ ସମୟରେ ସେମାନେ ନିଜ ନିଜ ଘରେ ରହି ନମାଜ ପଢନ୍ତୁ ।