ରାଜନୀତି

ପ୍ରତି ପରିବାରକୁ ସାଢେ ୭ ହଜାର ସହାୟତା ଦେବାକୁ ପରାମର୍ଶ

ନୂଆଦିଲ୍ଲୀ: ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଦେଶରେ ୩ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଉଦ୍ବେଗଜନକଭାବେ କାୟା ବିସ୍ତାର କରି ଚାଲିଛି । ଏଥିସହ ଅଧିକ “ଟେଷ୍ଟ୍ କିଟ୍’ ପାଇଁ ବନ୍ଦୋବସ୍ତ କରିବାକୁ ସେ ସରକାରଙ୍କୁ କହିଛନ୍ତି । ସେ କହିଛନ୍ତି କି, ଏବେ ଦେଶରେ ଟେଷ୍ଟ୍ କିଟ୍ ଯୋଗାଣ ନିଅଣ୍ଟିଆ ରହିଛି ଏବଂ ସେଗୁଡ଼ିକ ନିମ୍ନମାନର ବୋଲି ଜଣାପଡ଼ିଛି । ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ କଂଗ୍ରେସ୍ ୱାର୍କିଙ୍ଗ୍ କମିଟିରେ ଉଦବୋଧନ ଦେବା ସମୟରେ ସେ ଏ ଏହା କହିଛନ୍ତି । ସେ କହିଛନ୍ତି, ଆମ ସମାଜର ବିଶେଷକରି, କୃଷିକ୍ଷେତ୍ରର ଶ୍ରମିକ, ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଉଦ୍ୟୋଗର ବ୍ୟକ୍ତିବିଶେଷ ଅତ୍ୟନ୍ତ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବେପାର ବଣିଜ ଏବଂ ଶିଳ୍ପ ବନ୍ଦ ହୋଇଯାଇଥିବାରୁ କୋଟି କୋଟି ଲୋକଙ୍କର ଜୀବୀକା ନଷ୍ଟ ହୋଇଯାଇଛି ।

ସରକାରଙ୍କୁ ଉଦ୍ଦେଶ୍ୟ କରି ସୋନିଆ ଆହୁରି କହିଛନ୍ତି, ପରୀକ୍ଷା, ଚିହ୍ନଟ ଏବଂ ଏକାନ୍ତବାସର ଅନ୍ୟ ବିକଳ୍ପ ନାହିଁ ବୋଲି ଆମେ ଥରକୁ ଥର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛୁ । ଦୁଃଖର ବିଷୟ, ତଥାପି ପରୀକ୍ଷାହାର ସନ୍ତୋଷଜନକ ହୋଇପାରି ନାହିଁ । ପୁଣି କିଟ୍ ଯୋଗାଣ ନିଅଣ୍ଟିଆ ଏବଂ କିଟ୍ ନିମ୍ନ ମାନର ବୋଲି ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟ ଲକ୍ଡାଉନରେ ୧୨ କୋଟି କର୍ମସଂସ୍ଥାନ ନଷ୍ଟ ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଲେ ବେକାରୀ ଆହୁରି ବଢିବ । ଏହି ସଙ୍କଟର ମୁକାବିଲା କରିବାକୁ ପ୍ରତି ପରିବାରକୁ ଅନ୍ୟୂନ ୭, ୫୦୦ ଟଙ୍କା ଲେଖାଏଁ ଦେବା ଖୁବ୍ ଜରୁରୀ ।

ସଙ୍କଟ ସମୟରେ ସମଗ୍ର ଦେଶବାସୀଙ୍କୁ ସହାୟକ ହେଉଥିବା ଡାକ୍ତର, ନର୍ସ, ପାରାମେଡିକ୍, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀ, ଅତ୍ୟାବଶ୍ୟକ ସେବା ଯୋଗାଣକାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅସୁମାରି ସାହାଯ୍ୟକାରୀ ନାଗରିକମାନଙ୍କୁ ସୋନିଆ ପ୍ରଶଂସା କରିଛନ୍ତି । ସେମାନଙ୍କ ତ୍ୟାଗ ଓ ପ୍ରତିବଦ୍ଧତା ଆମକୁ ବାସ୍ତବରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

Related posts

ଧାମନଗର ଉପର୍ନିବାଚନ: ଆସିଲା ଦ୍ୱାଦଶ ରାଉଣ୍ଡ ଫଳାଫଳ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବଲାଙ୍ଗିରରେ ପ୍ରଣବଙ୍କ ସମୀକ୍ଷା

mahabharatanews

ଇମ୍ରାନଙ୍କ ଗାଦି ଟଳମଳ !

mahabharatanews