(ଅଜିତ ସାହୁ/ଜଳେଶ୍ୱର):କରୋନା ପାଇଁ କେବଳ ପୁରୀ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଚଳିତବର୍ଷ ରଥଯାତ୍ରାକୁ ସୁପ୍ରିମକୋର୍ଟ ଅନୁମତି ଦେଇ ନାହାନ୍ତି । ଫଳରେ ଦେଶ ତଥା ରାଜ୍ୟର ବହୁ ସ୍ଥାନରେ ଏବର୍ଷର ରଥଯାତ୍ରା ଅନୁଷ୍ଠିତ ହୋଇପାରିନାହିଁ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର, ବସ୍ତା, ବାଲିଆପାଳ ଆଦି ଅଞ୍ଚଳର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ତଥା ସେବକମାନେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶକୁ ସମ୍ନାନ ଜଣାଇବା ସହ ମନ୍ଦିରରେ ରଥଯାତ୍ରା ଦିନ କେବଳ ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିଛନ୍ତି । ବାଲିଆପାଳ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବେଶ ପରେ ମୁଖ୍ୟ ସେବକ ଜୟନାରାୟଣ ମହାନ୍ତି ଛେରା ପହଁରା କରିଥିଲେ । ପରେ ପରେ ସେବାୟତ ମାନେ ଚତୁଦ୍ଧାମୂର୍ତ୍ତି ଙ୍କୁ ଗୋଟି ପହଣ୍ଡି କରି ମନ୍ଦିର ପରିସରରେ ହୋଇଥିବା ଅସ୍ଥାୟୀ ମାଉସୀମା ମନ୍ଦିରକୁ ନେଇଥିଲେ ।
ସେହିପରି ମଧୁପୁରା ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ସୌମ୍ୟଦୀପ ଚକ୍ରବର୍ତୀ ବିଧି ମୁତାବକ ବିନାଭକ୍ତରେ ମନ୍ଦିର ପରିସରରେ ହୋଇଥିବା ମାଉସୀମା ମନ୍ଦିରରେ ଚତୁର୍ଧା ମୂର୍ତ୍ତିକୁ ସ୍ଥାପନ କରି ପୁଜାର୍ଚ୍ଚନା କରିଥିଲେ । ତେବେ ଏବର୍ଷର ରଥଯାତ୍ରା ବିନା ଭକ୍ତରେ ହୋଇଥିଲେ ମଧ୍ୟ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ପ୍ରେମୀ ତଥା ମନ୍ଦିର ପୂଜକମାନେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
next post
