ଭାରତ

ଅଷ୍ଟମ ବେତନ କମିଶନରେ ୬୯ ହଜାର ମୂଳ ଦରମା ଦାବି

ଅଷ୍ଟମ ବେତନ କମିଶନକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ଆଶା ବଢ଼ିଥିବା ବେଳେ ରେଳ କର୍ମଚାରୀଙ୍କ ପାଇଁ ଆସିଛି ଏକାଧିକ ବଡ଼ ଦାବି। ଦରମା ବୃଦ୍ଧିଠାରୁ ଆରମ୍ଭ କରି ବାର୍ଷିକ ଇନକ୍ରିମେଣ୍ଟ, ପଦୋନ୍ନତି ଓ ପେନସନ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରସ୍ତାବ ରଖିଛି ନ୍ୟାସନାଲ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରେଲୱେମେନ୍ସ (NFIR)। ଏଥିମଧ୍ୟରେ ସର୍ବନିମ୍ନ ମୂଳ ଦରମା ୧୮ ହଜାରରୁ ବୃଦ୍ଧି କରି ୬୯ ହଜାର ଟଙ୍କା କରିବା ଦାବି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।

ପ୍ରଥମ ଦାବି: ସର୍ବନିମ୍ନ ମୂଳ ଦରମା ୬୯ ହଜାର ଟଙ୍କା

ବର୍ତ୍ତମାନ ସପ୍ତମ ବେତନ କମିଶନ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ୧୮ ହଜାର ଟଙ୍କା ରହିଛି। ଏହାକୁ ବଢ଼ାଇ ୬୯ ହଜାର ଟଙ୍କା କରିବାକୁ NFIR ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିବାକୁ ପ୍ରସ୍ତାବ ରହିଛି। ଫିଟମେଣ୍ଟ ଫ୍ୟାକ୍ଟର ହେଉଛି ଏକ ଗୁଣକ ସଂଖ୍ୟା, ଯାହାକୁ ପୁରୁଣା ମୂଳ ଦରମା ସହ ଗୁଣନ କରି ନୂଆ ମୂଳ ଦରମା ନିର୍ଦ୍ଧାରଣ କରାଯାଏ। ଏହି ହିସାବରେ ୧୮ ହ  ଜାର ଟଙ୍କାକୁ ୩.୮୩୩ରେ ଗୁଣନ କଲେ ପ୍ରାୟ ୬୯ ହଜାର ଟଙ୍କା ହେବ।

ଦ୍ୱିତୀୟ ଦାବି: ବାର୍ଷିକ ଇନକ୍ରିମେଣ୍ଟ ୬ ପ୍ରତିଶତ

ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ବର୍ଷକୁ ୩ ପ୍ରତିଶତ ହାରରେ ଇନକ୍ରିମେଣ୍ଟ ମିଳୁଛି। ଏହାକୁ ଦୁଇଗୁଣା କରି ୬ ପ୍ରତିଶତ କରିବାକୁ କର୍ମଚାରୀ ସଂଘ ଦାବି କରିଛି। ଏଥିସହ ପ୍ରତିବର୍ଷ ଅତି କମରେ ୧୦ ହଜାର ଟଙ୍କାର ଆର୍ଥିକ ଲାଭ ଦେବାକୁ ମଧ୍ୟ ପ୍ରସ୍ତାବ ରହିଛି। ଏହା ଲାଗୁ ହେଲେ ମୂଳ ଦରମା ସହ HRA ଓ TA ଭଳି ଭତ୍ତା ମଧ୍ୟ ବୃଦ୍ଧି ପାଇପାରେ।

ତୃତୀୟ ଦାବି: ଚାକିରି ଜୀବନରେ ୫ଟି ପଦୋନ୍ନତି

ଦୀର୍ଘ ବର୍ଷ ଧରି ଗୋଟିଏ ପେ-ଲେଭଲରେ କାମ କରିବାକୁ ପଡ଼ୁଥିବାରୁ ଅନେକ କର୍ମଚାରୀଙ୍କ କ୍ୟାରିୟର ଗ୍ରୋଥ୍ ପ୍ରଭାବିତ ହେଉଛି। ଏହାର ସମାଧାନ ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ସମଗ୍ର ଚାକିରି କାଳ ମଧ୍ୟରେ ଅତି କମରେ ୫ଟି ପଦୋନ୍ନତି ଦେବାକୁ ଦାବି ହୋଇଛି। ଏହାଦ୍ୱାରା କର୍ମଚାରୀମାନେ ଉଚ୍ଚ ପେ-ଲେଭଲକୁ ଯିବାର ସୁଯୋଗ ପାଇପାରିବେ।

ଚତୁର୍ଥ ଦାବି: ୨୫ ପ୍ରତିଶତ DA ମୂଳ ଦରମାରେ ମିଶୁ

ମହଙ୍ଗା ଭତ୍ତା ବା DA ୨୫ ପ୍ରତିଶତରେ ପହଞ୍ଚିବା ମାତ୍ରେ ଏହାକୁ ମୂଳ ଦରମା ସହ ମିଶାଇବାକୁ କର୍ମଚାରୀ ସଂଘ ପ୍ରସ୍ତାବ ଦେଇଛି। ଏହାଦ୍ୱାରା ମୂଳ ଦରମା ବଢ଼ିବା ସହ ଅନ୍ୟାନ୍ୟ ଭତ୍ତା ଏବଂ ଅବସରକାଳୀନ ସୁବିଧା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିପାରେ।

ପଞ୍ଚମ ଦାବି: ପେନସନ୍ ୬୭ ଓ ଫ୍ୟାମିଲି ପେନସନ୍ ୫୦ ପ୍ରତିଶତ

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ରହିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ। ଶେଷ ମୂଳ ଦରମାର ୬୭ ପ୍ରତିଶତକୁ ପେନସନ୍ ଭାବେ ପ୍ରଦାନ କରିବାକୁ ଦାବି ହୋଇଛି। ସେହିପରି ଫ୍ୟାମିଲି ପେନସନ୍‌କୁ ୫୦ ପ୍ରତିଶତ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ଏଥିସହ କମ୍ୟୁଟେଡ୍ ପେନସନ୍‌ର ପୁନଃସ୍ଥାପନ ସମୟସୀମା ୧୫ ବର୍ଷରୁ ହ୍ରାସ କରି ୧୧ ବର୍ଷ କରିବାକୁ ଦାବି କରାଯାଇଛି।

କେବେ ଲାଗୁ ହେବ ଅଷ୍ଟମ ବେତନ କମିଶନ?

ଅଷ୍ଟମ ବେତନ କମିଶନର ଗଠନ ୩ ନଭେମ୍ବର ୨୦୨୫ରେ ହୋଇଥିଲା। ନିଜର ସୁପାରିସ ପ୍ରଦାନ କରିବା ପାଇଁ ଆୟୋଗକୁ ୧୮ ମାସ ସମୟ ଦିଆଯାଇଛି। ଏହି ଅନୁଯାୟୀ, ମେ’ ୨୦୨୭ ସୁଦ୍ଧା ଆୟୋଗ ରିପୋର୍ଟ ପ୍ରଦାନ କରିବାର ଆଶା ରହିଛି। ତେବେ କର୍ମଚାରୀ ସଂଘର ଏହି ଦାବିଗୁଡ଼ିକ ମଧ୍ୟରୁ କେଉଁ ପ୍ରସ୍ତାବକୁ ଆୟୋଗ ଗ୍ରହଣ କରୁଛି, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

Related posts

“ରାଜନୀତିରେ ସର୍ବୋତ୍ତମ ‘ଫିନିସର୍’ ରାହୁଲ ଗାନ୍ଧୀ” : ରାଜନାଥ ସିଂ

mahabharatanews

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews

ଆପ୍‌ ନେତା କୈଳାଶ ଗେହଲଟଙ୍କୁ ଜେରା ପାଇଁ ଡାକରା

mahabharatanews