(ମହାଭାରତ/ଭୁବନେଶ୍ୱର): ମହାମାରୀ କରୋନା ପାଇଁ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଆରୋଗ୍ୟଙ୍କ ହାରରେ ମଧ୍ୟ ବୃଦ୍ଧି ଘଟିଛି । ଆଜି ରାଜ୍ୟର ୧୧ଟି ଜିଲ୍ଲାରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ମୋଟ୍ ୫୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଆରୋଗ୍ୟ ହୋଇଥିବା ୧୬୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮ ଜଣ ଅଛନ୍ତି । ସେହିପରି ଜଗତସିଂପୁର ଜିଲ୍ଲାରୁ ୩୧ ଜଣ, ବାଲେଶ୍ୱରରୁ ୨୬, କଟକରୁ ୨୫, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୨, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୭୦ ହଜାର ୬୭୮ ଜଣଙ୍କର ନମୂନା ପରୀକ୍ଷା କରାଯାଇଛି । ସେମାନଙ୍କୁ ମଧ୍ୟରୁ ୭୩୧୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୫ ହଜାର ୩୫୩ ଜଣ ସୁସ୍ଥ ହୋଇଛନ୍ତି । ଅବଶିଷ୍ଟ ୧ ହଜାର ୯୩୦ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
