ଓଡିଶା

ଫେଲ ମାରିଛି ପାରାଦ୍ୱୀପ ବନ୍ଦର ପ୍ରଶାସନର ଟ୍ରାଫିକ ନିୟନ୍ତ୍ରଣ ଯୋଜନା

(ମହାଭାରତ/କୁଜଙ୍ଗ): ପାରାଦ୍ୱୀପ ବନ୍ଦରକୁ ଦୈନିକ ହଜାର ହାଜର ଭାରିଯାନ ଚଳାଚଳ କରୁଥିବାରୁ ଏଠାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଦୋଛକି ଠାରୁ ବନ୍ଦର ଯାଏ ଟ୍ରାଫିକ ନିୟନ୍ତ୍ରଣକୁ ନେଇ ମାତ୍ର କିଛି ଦିନ ତଳେ ଯୋଜନା ପ୍ରସ୍ତୁତ ହୋଇଥିଲେ ବି ତାହା ଫେଲ ମାରିଛି । ଗତ ବୁଧବାର ଓ ଗୁରୁବାର ଦିନକୁ ମିଶାଇ ଏଠାରେ ୪ଟି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଯାହାକି ଯୋଜନା ପ୍ରସ୍ତୁତିରେ ତ୍ରୁଟି ଓ ପ୍ରସ୍ତୁତକାରୀଙ୍କ ବିଫଳତାକୁ ଦର୍ଶାଇଛି । ସହରର ଦୋଛକି ଠାରୁ ବନ୍ଦର ଯାଏଁ ଦିନକୁ ପ୍ରାୟ ୧୦ ହଜାର ମାଲବାହୀ ଗାଡି ଚଳାଚଳ କରିଥାଏ । ତେବେ ଏତେ ମାତ୍ରାରେ ଭାରିଯାନ ଯାଆସ କରିବା ଫଳରେ ପାରାଦ୍ୱୀପ ବନ୍ଦରକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଅଧିକାଂଶ ସମୟରେ ମର୍ମନ୍ତୁଦ ଦୂର୍ଘଟଣା ଘଟୁଥିବା ଜଣାଯାଇଛି । ସବୁଠାରୁ ଅଧିକ ଲୋକଙ୍କ ଜୀବନହାନୀ ଏହି ଅଞ୍ଚଳରେ ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମାତ୍ର ୪ ଦିନ ପୂର୍ବେ ବନ୍ଦର ପ୍ରଶାସନ, ପୋଲିସ ଓ ପାରାଦ୍ୱୀପରେ ଥିବା ୩ଟି ଟ୍ରକ ମାଲିକ ସଂଘ ମିଳିତ ଭାବେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବାକୁ ଯୋଜନା କରିଥିଲେ । ଏହି ଯୋଜନା ମୁତାବକ, ୨୬ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ଟ୍ରାଫିକ ସ୍କ୍ୱାର୍ଡ ଗଠନ କରାଯାଇଥିଲା । ସେମାନଙ୍କୁ ସମ୍ବେଦନଶୀଳ ତଥା ଅଧିକ ଦୂର୍ଘଟଣା ଘଟୁଥିବା ସ୍ଥାନ ଗୁଡିକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ କରାଯାଇଥିଲା । ପ୍ରଶାସନ ତରଫରୁ ଏଭଳି ବ୍ୟବସ୍ଥା ହେବାର ୩ ଦିନ ପରେ ଏଥିରେ ବ୍ୟତିକ୍ରମ ଘଟିଥିଲା । ଗତ ବୁଧବାର ରାତିରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଦିନ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଥିଲା । ତେବେ ସହରକୁ ପ୍ରତିଦିନ ଯାଆସ କରୁଥିବା ପଣ୍ୟବାହୀ ଭାରିଯାନ ଡ୍ରାଇଭରମାନଙ୍କ ବେପରୁଆ ଚଳାଚଳ ଓ ଟ୍ରାଫିକ ନିୟନ୍ତ୍ରଣରେ ପ୍ରଶାସନର ବିଫଳତା ପାଇଁ ସାଧାରଣ ଲୋକେ ସହରରେ ଯାତାୟତ କରିବାକୁ ସୁରକ୍ଷିତ ମନେ କରୁନାହାନ୍ତି । ତେବେ ବନ୍ଦର ନଗରୀରେ ଏକ ଟ୍ରାଫିକ ଥାନା ସ୍ଥାପନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲେ ହେଁ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ସହରରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

Related posts

ପ୍ରକାଶ ପାଇଲା ଯୁକ୍ତ ତିନି ନାମ ଲେଖା

mahabharatanews

ସଜେଇ ହେଉଛି ଲିଙ୍ଗରାଜ ପୀଠ 

mahabharatanews

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ

mahabharatanews