Uncategorized

ବିଶ୍ୱର ସର୍ବବୃହତ୍ତ କୋଭିଡ-୧୯ ହସ୍ପିଟାଲ ଉଦ୍ଘାଟିତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏପରି ସମୟରେ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଦିଲ୍ଲୀରେ ବିଶ୍ବର ସର୍ବବୃହତ କୋଭିଡ-୧୯ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ୧୦,୦୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲକୁ ସର୍ଦାର ପଟେଲଙ୍କ ନାମରେ ସର୍ଦାର ବଲ୍ଲଭଭାଇ ପଟେଲ କୋଭିଡ-୧୯ ହସ୍ପିଟାଲ ଭାବେ ନାମିତ କରାଯାଇଛି। ହସ୍ପିଟାଲ ନିର୍ମାଣରେ କେନ୍ଦ୍ରରୁ ସହଯୋଗ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରକୁ ବିଶେଷ କରି ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି କୋଭିଡ କେନ୍ଦ୍ରଟି ୧୭୦୦ ଫୁଟ ଲମ୍ବ ଏବଂ ୭୦୦ ଫୁଟ ଓସାର। ଯାହା ମଧ୍ୟରେ ୨୦ଟି ଫୁଟବଲ ପଡିଆ ସହିତ ସମାନ। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପରିଷଦ (ଡିଆରଡିଓ) ଏହାକୁ ୧୨ଦିନରେ ତିଆରି କରିଛି। ଏହି ହସ୍ପିଟାଲରେ ଦୁଇଟି ବିଭାଗ ରହିଛି। ପ୍ରଥମତଃ କୋଭିଡ କେୟାର କେନ୍ଦ୍ର (ସିସିସି) ଯେଉଁଠାରେ ଲକ୍ଷଣ ରହିତ କରୋନା ପଜିଟିଭ ଚିକିତ୍ସିତ ହେବେ। ଅନ୍ୟଟି ଡେଡିକେଟେଡ କୋଭିଡ ହେଲ୍‌ଥ କେୟାର (ଡିସିଏଚସି)। ଏଠାରେ ଲକ୍ଷଣ ଥିବା କୋଭିଡ-୧୯ ରୋଗୀଙ୍କୁ ଭର୍ତ୍ତି କରାଯିବ। ସିସିସିରେ ୯୦% ଶଯ୍ୟା ରହିବ ଏବଂ ବାକି ଶଯ୍ୟା ଡିସିଏଚସିରେ ରହିବ। ୧୦୦୦ରୁ ଅଧିକ ଡାକ୍ତର, ନର୍ସ ଏବଂ ଆଇଟିବିପିର ପାରାମେଡିକାଲ କର୍ମଚାରୀ ତଥା ସିଏପିଏଫ ଯବାନ ନିଯୁକ୍ତ ହେବେ। ଦିଲ୍ଲୀ ସରକାର ଏହାକୁ ପ୍ରଶାସନିକ ସମର୍ଥନ ଯୋଗାଇ ଦେଇଥିବା ବେଳେ ଇଣ୍ଡୋ-ତିବ୍ବତୀୟ ସୀମାନ୍ତ ପୁଲିସ (ଆଇଟିବିପି) ଏହି କେନ୍ଦ୍ରକୁ ‘ଅପରେସନ କରୋନା ୱାରିଅର’ ନାମରେ ପରିଚାଳନା କରୁଛନ୍ତି। ରବିବାର ସୁଦ୍ଧା ଏଠାକୁ ୨୦ ଜଣ କୋଭିଡ-୧୯ ରୋଗୀ ଏଠାକୁ ଆସିଛନ୍ତି। ଏଠାରେ ଶଯ୍ୟା ସଂଖ୍ୟା ୧୦,୨୦୦କୁ ବୃଦ୍ଧି କରାଯାଇପାରେ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି।

Related posts

ସ୍କୁଲ ଲାଇବ୍ରେରୀରେ ଅଗ୍ନିକାଣ୍ଡ: ବ୍ୟାପକ କ୍ଷୟକ୍ଷତି

mahabharatanews

ଆଜିଠାରୁ ୩ ଦିନ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

mahabharatanews

ମଧ୍ୟ ପ୍ରଦେଶ ପରେ ବିହାର କଂଗ୍ରେସକୁ ଆରଜେଡିର ଝଟକା

mahabharatanews