ଓଡିଶା

ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ

(ମହାଭାରତ/ଭୁବନେଶ୍ୱର): ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ପରଲୋକ ହୋଇଛି । ସୋମବାର ରାଜଧାନୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛିଦିନ ତଳେ ସେ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଜୁନ୍ ୨୨ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ବିଷ୍ଣୁଙ୍କର ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା । ଜୁନ ୨୩ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ତାଙ୍କର ଡାଇବେଟିସ, ବ୍ଲଡପ୍ରେସର ଓ ଅନ୍ୟାନ୍ୟ ରୋଗ ଥିବାରୁ ତାଙ୍କୁ ସେବେଠାରୁ ଆଇସିୟୁରେ ରଖାଯାଇଥିଲା । ଗତକାଲି ସ୍ୱାସ୍ଥ୍ୟ ଅବସ୍ଥାରେ ତାଙ୍କର ଦ୍ରୁତ ଅବନତି ଦେଖାଦେଇଥିଲା । ତେବେ ଡାକ୍ତରୀ ଟିମର ସବୁ ପ୍ରୟାସ ସତ୍ତେ୍ୱ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନଥିଲା । ବିଜେଡିର ଏହି ବରିଷ୍ଠ ନେତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଜ୍ୟ ରାଜନୀତିର ଜଣେ ଆଗ ଧାଡିର ନେତା ଥିଲେ ବିଷ୍ଣୁ । ଜନତା ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜେଡିରେ ନିଜର ସ୍ୱତନ୍ତ୍ରତା ବଜାୟ ରଖି ପାରିଥିଲେ । ତାଙ୍କର ୩୫ ବର୍ଷର ରାଜନୀତି କ୍ୟାରିଅରରେ ସେ ୬ ଥର ବିଧାୟକ ହୋଇଥିଲେ । ଜଗତସିଂହପୁରରୁ ୫ ଥର ଓ ତିର୍ତ୍ତୋଲରୁ ଥରେ ବିଧାୟକ ନିର୍ବାଚିତ ହୋଇଥିଲେ ବିଷ୍ଣୁ । ୨୦୦୭ରେ ମନ୍ତ୍ରୀ ହେବା ସହ ପରବର୍ତ୍ତୀ ସମୟରେ ରାଜ୍ୟସଭା ସଦସ୍ୟ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ । ୨୦୧୪ରେ ଜଗତସିଂପୁର ଆସନରୁ ସେ ନିର୍ବାଚନ ଲଢି ହାରି ଯାଇଥିବା ବେଳେ ୨୦୧୯ରେ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଜଗତସିଂପୁର ଜିଲ୍ଲା ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଛି । କେବଳ ଏତିକି ନୁହେଁ, ବିଜେଡି ଜିଲ୍ଲା ସଭାପତି ଭାବେ ଦଳ ପ୍ରତିଷ୍ଠା ହେବା ଠାରୁ ସେ ସୂଚାରୁ ରୂପେ ତାଙ୍କ ଦାୟୀତ୍ୱ ସମ୍ପାଦନ କରି ଆସିଛନ୍ତି । ତାଙ୍କ ବିୟୋଗରେ ସାଧାରଣରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ବିଷ୍ଣୁ ଦାସ ଜଣେ ଲୋକପ୍ରିୟ ରାଜନେତା ଓ ଦକ୍ଷ ସଂଗଠକ ଥିଲେ । ବିଧାୟକ, ମନ୍ତ୍ରୀ, ସାଂସଦ ଭାବେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ବିଜେଡିର ଏହି ବରିଷ୍ଠ ନେତାଙ୍କ ମରଶରୀରକୁ ମଙ୍ଘଳବାର ଜଗତସିଂପୁର ମକୁନ୍ଦପୁର ସ୍ଥିତ ବାସଭବନକୁ ଅଣାଯିବ ବୋଲି ତାଙ୍କ ପୁଅ ବିଜୟ ଶଙ୍କର ଦାସ କହିଛନ୍ତି ।

 

Related posts

ଦୁର୍ଘଟଣାରେ ଚାଲିଗଲା ପୁଲିସ ହାବିଲଦାରଙ୍କ ଜୀବନ

mahabharatanews

ଠକକୁ ପୋଲିସର ସାହାଯ୍ୟ ଅଭିଯୋଗ, ଗାଡି ଅଟକ ରଖିଲେ ଗ୍ରାମବାସୀ

mahabharatanews

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର

mahabharatanews