ଓଡିଶା

ଗଗନଯାନ ମିଶନର ୪ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଆ ପୁଅ ନିଖିଲ ରଥ

(ବଲାଙ୍ଗୀର/ରିପୋଟର୍ସ ଟୁଡେ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ବଲାଙ୍ଗୀରର ପୁଅ ୱିଙ୍ଗ କମାଣ୍ଡର ନିଖିଲ ରଥ ମନୋନୀତ ହୋଇଥିବା ଜଣାପଡିଛି । ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡାନ୍ତ ହୋଇଥିବା ୪ ଜଣ ପାଇଲଟ୍ଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏହି ମିଶନ ପାଇଁ ତାଙ୍କ ନାମ ସର୍ଟଲିଷ୍ଟ ହୋଇଥିବା ଜାଣିବା ପରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ନିଖିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଋଷିଆରେ ତାଲିମ ନେଉଥିବା ଭାରତୀୟ ବାୟୁସେନାର ଗଗନଯାନ ଟିମ୍ ନିକଟରେ ନିଜର ତାଲିମ ଶେଷ କରିଛି । ଏହି ଟିମରେ ଥିବା ନିଖିଲ ନିଜର ତାଲିମ ପୂରଣ କରିଛନ୍ତି । ତାଙ୍କ ପାଇଁ ଓଡ଼ିଶା ଆଜି ଗର୍ବିତ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି କହିଛନ୍ତି । ସବୁକିଛି ଯୋଜନା ମୁତାବକ ଚାଲିଲେ ମହାକାଶକୁ ଯିବାରେ ନିଖିଲ ପ୍ରଥମ ଓଡ଼ିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ନିଖିଲଙ୍କ ପରିବାର ବଲାଙ୍ଗୀର ସହରର ସୁଦରପଡାରେ ରହନ୍ତି । ସହରର ଆଡଭୋକେଟ୍ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିଶନ ସଦସ୍ୟା କୁସୁମ ରଥଙ୍କର ସେ ସୁପୁତ୍ର । ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସେ ଚଣ୍ଡିଗଡ ଏୟାରବେସରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି । ଏୟାରଫୋର୍ସର ଅନେକ କଠିନ ମିଶନରେ ସାମିଲ ହୋଇ ନିଖିଲ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି ।

Related posts

କାଳବୈଖାଖୀ ସମ୍ଭାବନା: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଦନ୍ତା ଆକ୍ରମଣରେ ଚାଲିଗଲା ୨ଜୀବନ

mahabharatanews

ଅଫେରା ରାଇଜରେ ରାଜେଶ୍ୱରୀ

mahabharatanews