ଚାଷୀଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ଲକ୍ଷ୍ୟରେ ଦେବଗଡ଼ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ରିଆମାଳ ବ୍ଲକ ଅନ୍ତର୍ଗତ କଲ୍ୟାଣୀ ମଣ୍ଡପଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ମେଳାରେ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମଧୁସୂଦନ ପ୍ରଧାନ ମୁଖ୍ୟ ଅତିଥି ଏବଂ କଟକ ADRIର ଯୁଗ୍ମ ନିର୍ଦ୍ଦେଶକ ଡା. ଦେବଦତ୍ତ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର କଅଁର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଯତୀନ୍ଦ୍ର ମୋହନ ପଣ୍ଡା, ଡେପୁଟି କଲେକ୍ଟର ଅଞ୍ଜନି କୁଜୁର, ବିଧାୟକଙ୍କ ପ୍ରତିନିଧି ପାଞ୍ଜିଆ ଭୋଇ ଓ ସାଂସଦଙ୍କ ପ୍ରତିନିଧି ବୀରେନ୍ ପ୍ରଧାନ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନକୁ ଜୀବିକାର ଏକ ଉତ୍ତମ ମାଧ୍ୟମ ଭାବେ ଗ୍ରହଣ କରି ସରକାରୀ ଯୋଜନା ଓ ସହାୟତାର ସୁଯୋଗ ନେଇ ଆତ୍ମନିର୍ଭରଶୀଳ ହେବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ।
