ମଣିଷ ବଇମାନ ହୋଇପାରେ, ହେଲେ ପଶୁକେବେ ବେଇମାନ ହୁଏନି । ସେ ତାର ମାଲିକର ଋଣ ସୁଝିବାକୁ ଚେଷ୍ଟା କରେ । ଏପରି ଘଟଣା ସାମ୍ନାକୁ ଯାହ ଆପଣଙ୍କୁ ଚକିତ କରିଦେବ । ମଧ୍ୟପ୍ରଦେଶ ସିହୋର ଜିଲ୍ଲାରୁ ଆସିଥିବା ଏହି ଦୃଶ୍ୟ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି
ମଧ୍ୟପ୍ରଦେଶ ସିହୋର ଜିଲ୍ଲା ୭୫ ବର୍ଷୀୟ ମୋହନଲାଲ ରାଇକୱାର । ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ତାଙ୍କର ଦୈନନ୍ଦିନ ଜୀବନର ଗୋଟେ କାମ ଥିଲା ରାସ୍ତାକଡ଼ର ଏ ବୁଲୁଥିବା କୁକୁର କାଳୁକୁ ଖାଇବାକୁ ଦେବା । ପ୍ରତିଦିନ କାଳୁ ପାଇଁ ରୁଟି ଓ ଅନ୍ୟ ଖାଦ୍ୟ ନେଇ ଯାଉଥିଲେ ମୋହନଲାଲ । ତାକୁ ନାଁ ଧରି ଡାକୁଥିଲେ, ତା’ ସହ ସମୟ ବିତାଉଥିଲେ । ହେଲେ ଗତ ସପ୍ତାହରେ ମୋହନଲାଲଙ୍କ ମୃତ୍ୟୁ ହୋଇଗଲା । ଶୁକ୍ରବାର ଦିନ ତାଙ୍କ ଶେଷଯାତ୍ରା ହୋଇଥିଲା । ପରିବାର ଲୋକ, ବନ୍ଧୁବାନ୍ଧବ ଓ ସ୍ଥାନୀୟ ଲୋକେ କୋକେଇ ନେଇ ଆଗକୁ ବଢ଼ୁଥିଲେ । ଏହି ଯାତ୍ରାରେ ସାଥୀ ହୋଇ ଯୋଡ଼ି ହୋଇଯାଇଥିଲା କାଳୁ । କେହି ଡାକି ନଥିଲେ, କେହି ତାକୁ ନେଇ ନଥିଲେ । ନିଜ ଇଚ୍ଛାରେ ଶୋକାକୁଳ ଲୋକଙ୍କ ପଛେ ପଛେ ଚାଲିଥିଲା କାଳୁ ।
ଶ୍ମଶାନରେ ପହଞ୍ଚିବା ପରେ ମଧ୍ୟ ସେ ଫେରିନଥିଲା । ମୋହନଲାଲଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ୟ୍ୟନ୍ତ ସେଠାରେ ଚୁପଚାପ୍ ବସି ରହିଥିଲା । ସବୁଠୁ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ଶୋକସଭା ସମୟର । ମୋହନଲାଲଙ୍କ ସ୍ମୃତିରେ ଯେତେବେଳେ ସମସ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରୁଥିଲେ, ସେତେବେଳେ କାଳୁ ଧୀରେ ଧୀରେ ଆସି ସମସ୍ତଙ୍କ ସାମ୍ନାରେ ବସି ପଡ଼ିଥିଲା । ନିରବତାରେ ଯେମିତି ନିଜ ପ୍ରିୟ ବନ୍ଧୁଙ୍କୁ ଶେଷ ବିଦାୟ ଦେଉଥିଲା ।
