(ଟୁକୁନା ଖରା/ନବରଙ୍ଗପୁର): ଲଗାଣ ବର୍ଷା କାରଣରୁ ନବରଙ୍ଗପୁର ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନବରଙ୍ଗପୁର ସହର ମଧ୍ୟ ଦେଇ ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥ ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚତାର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ୱାରା ଲୋକମାନଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ମୁଖ୍ୟ ଚିକିତ୍ସାଳୟ କୁ ଯାଉଥିବା ରାସ୍ତା ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହେଉଛି। ଏହି ଲଗାଣ ବର୍ଷାରେ ସହରର ପ୍ରମୁଖ ନାଳ ଗୁଡିକରେ ବର୍ଷା ଜଳ ଜମିବା ଫଳରେ ମେଦ୍ରୀ ସାହି, ଚିନ୍ତାଲ ପେଟା, ଭଳି ସାହି ଗୁଡିକର ଘର ମାନଙ୍କରେ ପାଣି ପଶି ରହିଛି। ବର୍ଷା ପାଣି ଘର ଭିତରେ ପସିଯିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତିରେ ଶୋଇ ପାରୁନଥିବା ବେଳେ ଘରର ଆସବାବପତ୍ର ଗୁଡିକୁ କାଢି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି। ଯଦି ଏଭଳି ବର୍ଷା ଆଉ କିଛି ଦିନ ଲାଗିରହେ ତାହେଲେ ସହର ବାସୀ ଆଗକୁ ଆହୁରି ଅଧିକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଆହୁରି ଅଧିକ ବର୍ଷା ହେଲେ ନଦୀ ନିକଟରେ ଥିବା ଦୁଇଟି ଗାଁ ସାନ ଡାଇଭଟ୍ଟା ଓ ବଡ ଡାଇଭଟା ଗାଁ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଜିଲ୍ଲାର ଇନ୍ଦ୍ରାବତୀ ନଦୀରେ ଧୀରେ ଧୀରେ ଜଳ ସ୍ତର ବଢ଼ିବାରେ ଲାଗିଛି । ଇନ୍ଦ୍ରାବତୀର ଜଳ ଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୩୫ ମିଟର ନିକଟବର୍ତ୍ତୀ ରହିଥିବା ସୂଚନା ମିଳିଛି ।