ରାଜନୀତି

ବବିଙ୍କ ପାଇଁ ଦଳକୁ ବାହୁଡିବେ କଳ୍ପତରୁ

ଭୁବନେଶ୍ୱର: ବିଜେଡି ଯୁବ ଓ ଛାତ୍ର ସଂଗଠନର ପଦାଧିକାରୀ ନିଯୁକ୍ତି ପରେ ଦେଖାଦେଇଥିବା ଅସନ୍ତୋଷ, ଦଳ ବିରୋଧି ବୟାନବାଜୀ ପରି ଘଟଣାକୁ ପ୍ରସମିତ କରିବାକୁ ଅଣ୍ଟାଭିଡିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ । ମୁଖ୍ୟତଃ ଭୁବନେଶ୍ୱର ଛାତ୍ର ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିବା ଯୁବନେତା କଳ୍ପତରୁ ଓଝାଙ୍କୁ ଦଳରେ ଅଣଦେଖା କରିବାକୁ ନେଇ କଳ୍ପତରୁ ସୋସିଆଲ ମିଡିଆରେ ନିଜ ଅସନ୍ତୋଷକୁ ଖୋଲାଖୋଲି ବ୍ୟକ୍ତ କରିଥିଲେ । ଏହାକୁ ନେଇ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।
କଳ୍ପତରୁଙ୍କ ପରି ଜଣେ, କର୍ମଠ, ସମର୍ପିତ କର୍ମକର୍ତ୍ତାଙ୍କୁ ବହିଷ୍କାର କରିବା ପରେ ସବୁଠି ବିଜେଡିର ଅଭ୍ୟନ୍ତରୀୟ କନ୍ଦଳକୁ ନେଇ ହୋଇଥିଲା ଚର୍ଚ୍ଚା । ଏହାକୁ ନେଇ ଦଳର ସୁପ୍ରିମୋ ମଧ୍ୟ ହୋଇଥିଲେ ଭାରାକ୍ରାନ୍ତ । ଗୋଟିଏ ପଟେ କରୋନା ମହାମାରୀକୁ ନେଇ ସରକାର ନୟାନ୍ତ ହୋଇଛନ୍ତି, ଅନ୍ୟ ପଟେ ଦଳୀୟ କନ୍ଦଳ । ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ସୁପ୍ରିମୋଙ୍କ ସମସ୍ତ ଚେଷ୍ଟା ସତ୍ତେ୍ୱ ମଧ୍ୟ ଦଳରେ ଅସନ୍ତୋଷ, କନ୍ଦଳକୁ ନେଇ ସୁପ୍ରିମୋ ଅତିଷ୍ଠ ହୋଇଉଠିଥିବା ବେଳେ ପୁଣି ନିଜ ଫର୍ମକୁ ଆସିଥିଲେ ବବି ଦାସ ।
ଦଳର ଭିତରି ସୂଚନା ଅନୁଯାୟୀ, ବବି ନିଜେ କଳ୍ପତରୁଙ୍କୁ ମନେଇବାକୁ ହାତ ବଢାଇଥିଲେ । ଜଣେ ବରିଷ୍ଠ ଓ ସମ୍ମାନସ୍ପଦ ପଦାଧିକାରୀ ହୋଇ ମଧ୍ୟ ବବି ନିଜ ଆତ୍ମ ବଡିମାକୁ ପଛରେ ପକାଇ କଳ୍ପତରୁଙ୍କ ସହ କଥା ହୋଇଥିଲେ । ସେ କଳ୍ପତରୁଙ୍କୁ ବୁଝାସୁଝା କରିବା ସହ ଗୋଟିଏ ପରିବାରରର ସଦସ୍ୟ ହୋଇ ଏପରି ପରିବାର ବିରୋଧୀ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବଡ ଭାଇ ପରି କଳ୍ପତରୁଙ୍କୁ ତାଙ୍କ ପିଲାଳିଆ ବ୍ୟବହାରକୁ ନେଇ ତାଗିଦ କରିବା ସହ ସହୃଦୟତା ସହ ତାଙ୍କ ସମସ୍ୟାକୁ ବୁଝିଥିଲେ । ଦଳରେ କଳ୍ପତରୁଙ୍କ ସ୍ଥାନ ପୂର୍ବପରି ଅପରିବର୍ତ୍ତିତ ରହିବ, ସେ ଦଳର ଜଣେ ଦକ୍ଷ ଓ ଦାୟିତ୍ୱବାନ ସଦସ୍ୟର ଗରିମା ହାସଲ କରିବେ, ଏପରି ଆଶ୍ୱାସନା ଦେଇଥିଲେ । ବବିଙ୍କ ଦୀର୍ଘ ବୁଝାସୁଝା ପରେ କଳ୍ପତରୁ ନିଜ ଭୁଲ ବୁଝିବା ସହ ସାନଭାଇ ପରି ବବିଙ୍କୁ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିବା ବେଳେ ବବି ତାଙ୍କୁ ବଡ ଭାଇଟିଏ ପରି ଆନନ୍ଦରେ କୋଳେଇ ନେଇଥିବା ଶୁଣିବାକୁ ମିଳୁଛି ।
ବବିଙ୍କ ମଧ୍ୟସ୍ଥତାରେ ଦଳରେ କିଛି ଦିନ ଧରି ଲାଗିରହିଥିବା ଫାଟ ପୁଣି ଭରିବା ସହ ଦଳ ଏକ ହୋଇଥିବା ଦଳୀୟ କର୍ମକର୍ତ୍ତାଙ୍କ ଠାରୁ ଶୁଣିବାକୁ ମିଳୁଛି । ବବିଙ୍କ ଏଦାଦୃଶ କାର୍ଯ୍ୟକୁ ନେଇ ଦଳ ସୁପ୍ରିମୋ ଆଶ୍ୱସ୍ଥ ହୋଇଥିବା ମଧ୍ୟ କୁହାଯାଉଛି । ଏଥିସହ ବବି ଯେ ବାସ୍ତବରେ ଦଳ ପାଇଁ କ୍ରାଇସେସ ମ୍ୟାନେଜର ତାହା ପୁଣି ଥରେ ପ୍ରମାଣିତ ହୋଇଥିବା ଦଳୀୟ ବରିଷ୍ଠ ନେତା କହିବାକୁ ପଛେଇ ନାହାନ୍ତି ।

Related posts

ଗୁୁରୁମନ୍ତ୍ର ଦେଲେ ନବୀନ , ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ କାମ କରିବାକୁ ପରାମର୍ଶ

mahabharatanews

ବିହାରରେ ମହାମେଣ୍ଟକୁ ଧୋକା ଦେଇଛି କଂଗ୍ରେସ

mahabharatanews

ଏକାଥରେ ଭତ୍ତା ହିତାଧିକାରୀ ପାଇଲେ ଦୁଇ ମାସର ଭତ୍ତା ରାଶି

mahabharatanews