ଭତ୍ତା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି । ଏପ୍ରିଲ୍ ଓ ମେ ମାସର ଭତ୍ତା ହିତାଧିକାରୀଙ୍କ ଖାତାକୁ ଜମା ହୋଇଥିବା ବେଳେ, ଜୁନ୍ ମାସର ଭତ୍ତା ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ହିତାଧିକାରୀଙ୍କୁ ସେମାନଙ୍କର ପେନସନ୍ ପ୍ରଦାନ କରାଯାଇ ସାରିଛି । ବିଳମ୍ବ ହେଉଥିବା ବାକି ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ଏହି ସହାୟତା ରାଶି ପ୍ରଦାନ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସହଜ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରୁ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଣିକି ‘ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ (NSAP)କୁ ‘SNA-SPARSH’ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହି ନୂତନ ବ୍ୟବସ୍ଥା ଅଧୀନରେ ଭାରତ ସରକାରଙ୍କ NSAP ପୋର୍ଟାଲକୁ ରାଜ୍ୟର IFMS ପୋର୍ଟାଲ, PFMS ଏବଂ ଆରବିଆଇ (RBI) ସିଷ୍ଟମ ସହିତ ବୈଷୟିକ ସଂଯୋଗୀକରଣ କରାଯାଇଛି । ଏହି ପ୍ରସ୍ତୁତି କାର୍ଯ୍ୟ ସଫଳତାର ସହ ଶେଷ ହେବା ପରେ, ବର୍ତ୍ତମାନ ଏହି ନୂଆ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ହିତାଧିକାରୀମାନଙ୍କୁ ସିଧାସଳଖ ଆର୍ଥିକ କାରବାର ଆରମ୍ଭ ହୋଇଯାଇଛି ।

