ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ସରୁ ସରୁ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବିଜେଡି ସସ୍ପେଣ୍ଡ କରିଛି । ଦଳବିରୋଧୀ କାର୍ୟ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଥିବା ଜଣାପଡିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ବିଜେଡି ପକ୍ଷରୁ ଜାରି ପ୍ରେସ ରିଲିଜରେ ସୂଚନା ରହିଛି। ତେବେ ଦଳ ବିରୋଧୀ କାର୍ଯ୍ୟକୁ ନେଇ ନିର୍ବାଚନ ଥିବାରୁ ତାଙ୍କୁ ତଳରୁ ନିଲମ୍ବିତ ନ କରି ନିର୍ବାଚନ ସରୁସରୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।
ଜୀବନ ପ୍ରଦୀପ ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ଓ ବାଲେଶ୍ୱର ସଦର ଆସନରୁ ବିଜୟୀ ହୋଇଥିଲେ । ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ମଦନମୋହନ ଦତ୍ତଙ୍କଠାରୁ ପରାସ୍ତବରଣ କରିଥିଲେ। କିନ୍ତୁ ଦତ୍ତଙ୍କ ଅକାଳ ମୃତ୍ୟୁ ଯୋଗୁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଶ୍ରୀ ଦାସ ଲବି କରିଥିଲେ । କିନ୍ତୁ ତାଙ୍କୁ ସାଇଡ କରି ସ୍ୱରୂପ ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା, ଯାହାକୁ ନେଇ ସେ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବିଜେଡି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
