ଓଡିଶା

କଲେଜ ନ ଯାଇ ଦରମା ନେବା ଦୁର୍ନୀତି କି?

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରୁଥିବା ବାରମ୍ବାର କୁହାଯାଉଛି । କସ୍ମିନ କାଳେ ସରକାର କୌଣସି ପ୍ରକାରର ଦୁର୍ନୀତିକୁ ପ୍ରଶ୍ରୟ ଦେବେ ନାହିଁ, ଦୁର୍ନୀତିଖୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ ଯିବ କହୁଛନ୍ତି । ବହୁ ସମୟରେ ବହୁ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ନିଲମ୍ବନ, ବହିଷ୍କାର, ବାଧ୍ୟତାମୂଳକ ଅବସର ଦେଇ ବାହାବା ନେଉଛନ୍ତି । କିନ୍ତୁ ଦୁର୍ନୀତି ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗରେ ତା ବାଟରେ କାୟା ମେଲାଇ ଚାଲିଛି । ହେଲେ ଏହି ସହଯୋଗିତାପୂର୍ଣ୍ଣ ଦୁର୍ନୀତି ବିରୋଧରେ ସରକାର ଜାଣି ଅଜଣା ହେଉଛନ୍ତି । ଯାହାର ଏକ ସଦ୍ୟ ଉଦାହରଣ କାମାକ୍ଷାନଗର କଲେଜରେ ଦେଖିବାକୁ ମିଳିଛି । ଦଳର ଜଣେ ମନ୍ତ୍ରୀଙ୍କ ପାୱାର ବଳରେ କିପରି ସରକାରୀ କାର୍ଯ୍ୟ ନ କରି ଦରମା ହାତାଯାଉଛି ତାର ଏକ ଚିତ୍ର ସାମ୍ନାକୁ ଆସିଛି । ଆଉ ଏହି ଅନୈତିକ କାର୍ଯ୍ୟ କରିଛନ୍ତି ମନ୍ତ୍ରୀଙ୍କ ପରିବାର ସଦସ୍ୟ, ମନ୍ତ୍ରୀଙ୍କ ବୋହୂ । ବୋହୂ ଜଣେ ଅଧ୍ୟାପିକା । କିନ୍ତୁ ବର୍ଷରେ ଦିନଟିଏ ମଧ୍ୟ କଲେଜ ନ ଯାଇଥିଲେ ମଧ୍ୟ ମୋଟା ଅଙ୍କର ଦରମା ଉଠାଇ ଚାଲିଛନ୍ତି । ମନ୍ତ୍ରୀଙ୍କ ବୋହୂଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ନା କଲେଜ ଅଧ୍ୟକ୍ଷ ନାହିଁ ଅନ୍ୟ ସହକର୍ମୀ ମୁହଁ ଖୋଲିଛନ୍ତି । କିନ୍ତୁ ସୂଚନା ଅଧିକାର ବଳରେ ମନ୍ତ୍ରୀଙ୍କ ପରିବାର ବର୍ଗଙ୍କ ଏପରି ଗୁମର ଏବେ ପଦାକୁ ଆସିଛି ।

ସୂଚନା ଅଧିକାରୀ କର୍ମୀ ଜୟକୃଷ୍ଣ ବେହେରା କଲେଜରେ ବହି କିଣିବାକୁ ନେଇ ବ୍ୟାପକ ଅନିୟମିତତାର ତଦନ୍ତ କରିବା ପରେ ବୋହୂମା ୨୦୧୬- ୨୦୧୮ ପର୍ଯ୍ୟନ୍ତ ମୋଟରୁ କଲେଜ ଯାଉ ନ ଥିବା ଜଣାପଡିଥିଲା । ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାରଙ୍କ ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଅଛନ୍ତି । ୨୦୧୬- ୨୦୧୮ ପର୍ଯ୍ୟନ୍ତ ବୋହୂମା ଦିନଟିଏ ମଧ୍ୟ କଲେଜକୁ ଯାଇ ନାହାନ୍ତି । ପିଲାଙ୍କୁ ପାଠ ପଢାଇ ନାହାନ୍ତି । କିନ୍ତୁ ପ୍ରତ୍ୟେକ ମାସରେ ନିଜ ଦରମା ଉଠାଇ ଚାଲିଛନ୍ତି । ତାଙ୍କୁ ରୋକିବାକୁ କି ଟୋକିବାକୁ କେହି ନାହାନ୍ତି । କାରଣ ମନ୍ତ୍ରୀ ହେଉଛନ୍ତି କଲେଜ ଗଭର୍ନିଂ ବଡିର ଅଧ୍ୟକ୍ଷ । ତେଣୁ ବୋହୂମା କଲେଜ ଯାଉ ନ ଥିଲେ ମଧ୍ୟ ଅଧ୍ୟକ୍ଷ ମୁହଁ ଖୋଲିବାର ଯୁ ରଖି ନ ଥିଲେ । ତାଙ୍କ ଅଧ୍ୟାପିକାଙ୍କ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ଅଧ୍ୟାପିକା ଉକ୍ରଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି, ତେଣୁ ଷ୍ଟଡି ଲିଭରେ ଥିଲେ । ୨୦୧୮ରୁ ସେ କଲେଜ ଆସୁଛନ୍ତି ।

ଅନ୍ୟ ପଟେ ଅଧ୍ୟାପିକାଙ୍କ ପିଏଚଡି ନେଇ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଆରଟିଆଇରେ ତଥ୍ୟ ମାଗିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍ତର ମିଳିଛି ୨୦୧୬-୧୮ ମଧ୍ୟରେ ଲିପ୍ସା ପ୍ରଧାନ ନାମରେ କେହି ରେଜିଷ୍ଟ୍ରେସନ କରି ନାହାନ୍ତି । ଅର୍ଥାତ୍ ପିଏଚଡି ନ କରି, କଲେଜକୁ ନ ଯାଇ ମନ୍ତ୍ରୀଙ୍କ କ୍ଷମତା ବଳରେ ବୋହୂ ମା ସରକାରୀ ତହବିଲରୁ ମୋଟା ଅଙ୍କରେ ଦରମା ନେଇ ଘରେ ଅୟସ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସ୍ୱଚ୍ଛ ସରକାରର ଜଣେ ମନ୍ତ୍ରୀ କଣ ବୋହୂଙ୍କର ଦୀର୍ଘ ଦୁଇ ବର୍ଷ ଧରି କଲେଜ ନ ଯିବା ସମ୍ପର୍କରେ ଜାଣି ନ ଥିଲେ? ଯଦି ଜାଣିଥିଲେ ତେବେ ଏହା ବିରୋଧରେ କାହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ? ନା ତଳତଳିଆ କର୍ମଚାରୀଙ୍କୁ ବଳି ଦେଇ ସରକାର ସ୍ୱଚ୍ଛତା ପ୍ରତିପାଦନ କରୁଛନ୍ତି?

ଏହି ଘଟଣାକୁ ନେଇ ଲୋକାୟୁକ୍ତରେ ଅଭିଯୋଗ ହେବା ପରେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ ଏହି ଘଟଣାର ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

Related posts

 ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

mahabharatanews

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି

mahabharatanews

ପାଣି ପଞ୍ଚାୟତ ସଚେତନତା ଶିବିର ଅନୁଷ୍ଠିତ

mahabharatanews