Uncategorized

ସ୍ତ୍ରୀଙ୍କ ମୃତ୍ୟୁ ପରେ ମିଳିଲାନି କାନ୍ଧ: ମୃତଦେହ ସାଇକେଲରେ ରଖି ଏଣେତେଣେ ବୁଲିଲେ ବୃଦ୍ଧ

ଜୋନପୁର: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ସାଂଘାତିକ ଭାବେ ବଢିଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଦୃଶ୍ୟ । କରୋନା ସଂକ୍ରମଣ ଓ ମୃତ୍ୟୁରେ ଲୋକେ ଆତଙ୍କିତ । କେହି କାହାରିକୁ ଚାହୁଁ ନାହାନ୍ତି । ମରି ଯାଉଛି ଯେମିତି ମଣିଷପଣିଆ । କାହାର ମୃତ୍ୟୁ ହେଲେ ସାହି ଭାଇ ତେଣିକି ଚାହୁଁ ନାହାନ୍ତି କି ଅର୍ଥିକୁ କାନ୍ଧ ଦେବାକୁ ଆସୁନାହାନ୍ତି । ଫଳରେ ଜଣେ ଅସହାୟ ବୃଦ୍ଧ ନିଜ ଇହକାଳ ପାରକାଳର ସାଥୀର ମୃତ୍ୟୁ ପରେ ତାଙ୍କ ମୃତଦେହକୁ କାନ୍ଧ ଦେବାକୁ ପାଇଲେ ନାହିଁ ଗୋଟିଏ ବି କାନ୍ଧ । ତେଣୁ ବାଧ୍ୟବାଧକତାରେ ବୃଦ୍ଧ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ରଖି ଏଣେତେଣେ ଧାଇଁବାକୁ ହେଲେ ବାଧ୍ୟ ।


ଜୋନପୁର ଜିଲ୍ଲାର ମଡିୟାଂହୁ ଥାନା ଅଧୀନ ଅମ୍ବରପୁର ନିବାସୀ ବୃଦ୍ଧ ତିଲକଧାରୀ ସିଂହଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଏପ୍ରିଲ ୨୭ ତାରିଖରେ ହୋଇଗଲା । ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଦେହ ଅଧିକ ଖରାପ ହେବାରୁ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ତାଙ୍କର ବାର୍ଦ୍ଧକ୍ୟକାରଣରୁ ମୃତ୍ୟୁହେଲା । ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ବୃଦ୍ଧଙ୍କ ଘରକୁ ଅଣାଗଲା । ବୃଦ୍ଧ ସ୍ତ୍ରୀଙ୍କୁ ହରାଇ ଭାଙ୍ଗିପଡିଲେ । ଜୀବନର ସାୟାହ୍ନରେ ସାଥୀଙ୍କ ବିୟୋଗରେ ସେ ଭାଙ୍ଗିପଡିଥିବା ବେଳେ କିନ୍ତୁ ପାଖ ପଡିଶା ଜଣେବି କେହି ତାଙ୍କ ଦୁଃଖ ବାଣ୍ଟିବାକୁ ତାଙ୍କ ନିକଟକୁ ଆସିଲେ ନାହିଁ । ସମସ୍ତଙ୍କୁ ଘାରିଛି କରୋନା ଡର । ଅନେକ ସମୟ ସ୍ତ୍ରୀଙ୍କ ମୃତଦେହ ନିକଟରେ ନିରବରେ କାନ୍ଦିବା ପରେ ଶେଷରେ ସାଇକେଲରେ ମୃତଦେହକୁ ନେଇ ଗାଁ ପାଖ ଶ୍ମଶାନକୁ ଗଲେ । କିନ୍ତୁ ଗାଁ ଲୋକେ ସେଠାରେ ଅନ୍ତିମ ସଂସ୍କାରକୁ ଦେଲେନି ଅନୁମତି । ସନ୍ଦେହ ଥିଲା ସେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ପରେ ବୃଦ୍ଧ ଗାଁ ପାଖ ନଦୀ କୂଳରେ ଶବଦାହ କରିବାକୁ ଚିନ୍ତା କଲେ । ପୁଣି ସାଇକେଲରେ ମୃତ ସ୍ତ୍ରୀଙ୍କ ଶବକୁ ବୋହି ନଦୀ କୂଳକୁ ଗଲେ । କିନ୍ତୁ ସେଠାରେ ମଧ୍ୟ ଗ୍ରାମବାସୀ ବିରୋଧ କଲେ ।


ଏହାକୁ ନେଇ ବୃଦ୍ଧ ଅସହାୟ ହୋଇ ସେଠାରେ ବସିପଡିଲେ । ଆଗ ପଛ କିଛି ବୁଝାପଡୁନଥିଲା । ମୃତଦେହ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥିଲା । କଣ କରିବେ, କେଉଁଠି ଅନ୍ତିମ ସଂସ୍କାର କରିବେ ସେହି ଚିନ୍ତାରେ ଘାରି ହେଉଥିଲେ । ଏହାର ସୂଚନା ମଡିୟାଂହୁ ଥାନାକୁ ମିଳିଯାଇଥିଲା । ପୁଲିସ ଆସି ମୃତଦେହକୁ ଗାଁକୁ ନେଇଯାଇଥିଲା ଓ ଅର୍ଥୀର ସମସ୍ତ ବ୍ୟବସ୍ଥା କରି ସମ୍ମାନର ସହ ଜୋନପୁର ରାମଘାଟରେ ଅନ୍ତିମ ସଂସ୍କାର କଲା ।
ତେବେ ଏହି ପ୍ରାଣଘାତୀ ମହାମାରୀ କରୋନା ମଣିଷ ଭିତରେ ଏମିତି ଘର କରିଗଲାଣି କି ମଣିଷ ହରାଉଛି ମାନବିକତା । ସମ୍ପର୍କର ସୁତ୍ର ଛିଡିଗଲାଣି ।

Related posts

ପର୍ତ୍ତୁଗୀଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

mahabharatanews

ସୀରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓଙ୍କୁ ସମନ

mahabharatanews

କରୋନା ଚିକିତ୍ସା: ‘ରେମ୍‌ଡିୱିର୍‌’କୁ ଆମେରିକା ଦେଲା ଅନୁମତି

mahabharatanews

Leave a Comment