ଓଡିଶା

ସାଧାରଣ ଜନତା ପାଇଁ ତାଲା, ବଡବଡିଆଙ୍କ ପାଇଁ ଖୋଲା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସେକ୍ରେଟେରିଏଟ ବନ୍ଦ । ଅବଶ୍ୟ କର୍ମଚାରୀ, ଅଧିକାରୀ, ସଚିବ ମନ୍ତ୍ରୀ ପ୍ରମୁଖ ଆସୁଛନ୍ତି । କିନ୍ତୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ । ଏପରି କି ସାମ୍ବାଦିକଙ୍କ ପାଇଁ ସେକ୍ରେଟେରିଏଟ ଗେଟରେ ତାଲା ପଡିଛି । ଭିତରକୁ ଯିବାକୁ ଅନୁମତି ନାହିଁ । କରୋନାର ଭୟାବହତାକୁ ନେଇ ସାମ୍ବାଦିକମାନେ ମଧ୍ୟ ସରକାରୀ ନିର୍ଦ୍ଦେଶକୁ ମାନି ନେଇଛନ୍ତି ରାଜ୍ୟର ହିତ ପାଇଁ । ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ସଚିବାଳୟ ଗେଟ ଖୋଲୁନାହିଁ ।

କିନ୍ତୁ ନିକଟରେ ଜଣେ ମହିଳାଙ୍କୁ ସେକ୍ରେଟେରିଏଟ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ସେକ୍ରେଟେରିଏଟ ଭିତରେ ପ୍ରାୟତଃ ସବୁ ସଚିବଙ୍କ କକ୍ଷରେ ଘୁରିବୁଲୁଥିଲେ ମହିଳାଜଣଙ୍କ ପ୍ରଜାପତି ପରି । ସଚିବମାନଙ୍କ ନିକଟକୁ ଯାଇ କରୁଥିଲେ ଦେଖା । ଯେଉଁ ସଚିବମାନଙ୍କୁ ଭେଟୁଥିଲେ ସେମାନଙ୍କ ହାତକୁ ବଢାଇ ଦେଉଥିଲେ ଗୋଟିଏ ଗୋଟିଏ ପ୍ୟାକେଟ । ପ୍ୟାକେଟରେ କଣ ରହିଛି ତାହା ତ ଜଣାନାହିଁ, କିନ୍ତୁ ପ୍ୟାକେଟଟି ବେଶ ଆକର୍ଷଣୀୟ ହୋଇଛି ।

ମହିଳା ଜଣଙ୍କ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରିନ୍ସପାଲ ସେକ୍ରେଟେରି ଏମଏସଏମଇ ସତ୍ୟବ୍ରତ ସାହୁ, ଓଡିଇଡିଏ ଅଶୋକ ଚୌଧୁରୀ ପ୍ରମୁଖଙ୍କୁ ଭେଟିଦେଇଛନ୍ତି । ଏମାନଙ୍କ ହତାକୁ ଗିଫ୍ଟ ପ୍ୟାକେଟ ବଢାଇଦେବା ସହ ଉଠାଇଛନ୍ତି ଫଟୋ । କିଏ, କାହାକୁ କଣ ଗିଫ୍ଟ ଦେଲେ ସେଥିରେ ଆମର କିଛି ଯାଏ ଆସେ ନାହିଁ । କିନ୍ତୁ ଏହି ମହିଳା ଜଣକ ଏମିତି କିଏ କି ଯାହାଙ୍କ ପାଇଁ କୋଭିଡ ତାଲା ଖୋଲି ଦେଲେ ସଚିବମାନେ । ଏମିତି କଣ ଅର୍ଜେନ୍ସି ଥିଲା କି କରୋନା ନାମରେ ଅନ୍ୟମାନଙ୍କ ପାଇଁ ସଚିବାଳୟ ଯିବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ମ୍ୟାଡମଙ୍କୁ ଯିବାକୁ ଦିଆଗଲା? ଏହାକୁ ଦେଖି ଲାଗୁଛି, ମ୍ୟାଡମ ଭାରି ପାୱାରଫୁଲ ।

ଏହି ଘଟଣା ଦେଖିବା ପରେ ଲାଗୁଛି, ଆମ ରାଜ୍ୟ ପ୍ରଶାସନିକ ଅଧିକାରୀ ତଥା ନେତା ମନ୍ତ୍ରୀଙ୍କ ପାଇଁ କରୋନା ମହାମାରୀ ବରଦାନ ହୋଇ ଆସିଛି । ସଚିବାଳୟ ଭିତରକୁ କାହାରିକୁ ପୁରାଇ ନ ଦେଇ ଭିତରେ କିନ୍ତୁ ଚାଲିଛି ଭଲ ସୌଦାବାଜୀ । ମହାମାରୀ କରୋନାରେ ସାଧାରଣ ଜନତା ଆଣ୍ଠେଇ ପଡିଥିବା ବେଳେ କିନ୍ତୁ ଆମ ସଚିବ ଓ ରାଜନେତା ହୋଇଛନ୍ତି ମାଲାମାଲ। ଅନ୍ୟପଟେ, ସାମ୍ବାଦିକଙ୍କ ହାତ ବନ୍ଧା । ନା ସେମାନେ ଭିତରକୁ ଯିବେ ନାହିଁ କିଛି ସୁଙ୍ଘିବେ ଓ ତାକୁ ଜନତାଙ୍କ ନିକଟରେ ତାହା ପହଞ୍ଚାଇବେ । ତେବେ ଏହି ମହିଳାଙ୍କ ସହ ମନ୍ତ୍ରୀ, ସଚିବ ମାନଙ୍କ ଫଟୋ ବାହାରକୁ ଆସିବା ପରେ ସାମ୍ବାଦିକମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ମିଛଟାରେ ମହାମରୀକୁ ଢାଲ କରି ସାଧାରଣ ଜନତାଙ୍କ ସମସ୍ୟାକୁ ଅଣଦେଖା କରାଯାଉଛି । ସାଧାରଣ ଜନତାଙ୍କୁ ବାଦ ଦେଇ ସଚିବମାନେ ଏମିତି ଗିଫ୍ଟ ପରି କେତେ କଣ ଠୁଳ କରିଚାଲିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି । ସତେକି ମହାମାରୀ ଏମାନଙ୍କ ପାଇଁ ହୋଇଛି ପାଳକ ।

 

Related posts

ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଆଦର୍ଶ ଯୁବ ବିଧାୟକ ସମ୍ମାନ

mahabharatanews

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

mahabharatanews

ଜଳେଶ୍ୱରରେ ଦୋକାନ ବଜାର ଖୋଲା, ଉତ୍ତର ବାଲେଶ୍ୱରରେ ବନ୍ଦକୁ ମିଳିଲାନି ସମର୍ଥନ

mahabharatanews