ଓଡିଶା

ବର୍ଷା ଆସିଲେ ମନେପଡୁଛି ଡ୍ରେନ୍ ସଫେଇ

ଭୁବନେଶ୍ୱର: ଦେଶର ନମ୍ବର-ୱାନ ସ୍ମାର୍ଟ ସିଟି ଭୁବନେଶ୍ୱରର । କିନ୍ତୁ ଅସରାଏ ବର୍ଷା ହେଲେ ସ୍ମାର୍ଟ ସିଟି ବେହାଲ । ଜଳମଗ୍ନ ହେଉଛି ରାଜଧାନୀ । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଅଣ୍ଟାଏ ପାଣି ଢେଉ ମାରୁଛି । ବାହାରକୁ ବାହାରିବା ପାଇଁ ଲୋକେ ପାଣି ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଏହି ସବୁ ଦୃଶ୍ୟ ବିଏମସିର ଡ୍ରେନେଜ କାର୍ଯ୍ୟର ସ୍ୱଚ୍ଛତାକୁ ପଦାରେ ପକାଇ ଦେଉଛି ।
ବର୍ଷ ସାରା ଲକଡାଉନ ପାଇଁ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଥିଲା । ଏବେ ଲକଡାଉନ କୋହଳ ହେବା ପରେ ଲୋକେ ବାହାରକୁ ବାହାରୁଛନ୍ତି । ଏପରି ସ୍ଥଳେ ଡ୍ରେନ୍ ଖୋଳି ଦେବା ଯୋଗୁ ରାସ୍ତା ଉପରେ ମାଟି ଜମି ରହିଛି । ବର୍ଷା ଦିନରେ ଡ୍ରେନ୍ ଅଳିଆ ରାସ୍ତା ଉପରେ ପଡି ରହିଥିବା ବେଳେ ଲୋକେ ଅସୁବିଧା ଭୋଗୁଛନ୍ତିି । ଠିକ୍ ଭାବେ ଡ୍ରେନ୍ ସଫେଇ ହୋଇ ନ ଥିବାରୁ ପାଣି ମଧ୍ୟ ଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ । ୨୦୧୫ ମସିହାରୁ ବିଏମ୍ସି ଡ୍ରେନ କାର୍ଯ୍ୟ ଶେଷ ହୋଇଯିବ ବୋଲି କହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରି ନାହିଁ । ଅଧିକାଂଶ ସ୍ଥାନରେ ଏବେବି ଡ୍ରେନ୍ ଖୋଳା ଚାଲିଛି । ଯାହା ଫଳରେ ରାସ୍ତା ବନ୍ଦ ରହୁଛି । ଡ୍ରେନ୍ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହୁଛି । ବର୍ଷା ହେବାର ୩ ଘଣ୍ଟା ପରେ ମଧ୍ୟ ପାଣି ନିଷ୍କାସନ ହୋଇପାରୁନ ଥିବାରୁ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶୁଛି ।
୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଜଳ ସମସ୍ୟା ଦୂର କରିବା ପାଇଁ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ । ଯେଉଁଥିରେ ଡ୍ରେନ୍ ନିର୍ମାଣ, ଜଳାଶୟର ପୁନଃଉଦ୍ଧାର, ଡ୍ରେନ ମରାମତି ସମେତ ବହୁ ବିଷୟ ଜଡିତ ଥିଲା । ହେଲେ ଏହି ଟଙ୍କାରୁ ଏବେ ସୁଦ୍ଧା ମାତ୍ର ୧୦୦ କୋଟି ମିଳିଥିବାରୁ ପାଣି ସମସ୍ୟା ସମାଧାନ କରିବା ଦିଗରେ ବିଏମ୍ସି ସଠିକ୍ ପଦକ୍ଷେପ ନେଇ ପାରୁନି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ରସୁଲଗଡ, ବୋମିଖାଲ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ ଆଦି ଅଞ୍ଚଳରେ ଡ୍ରେନ କାର୍ଯ୍ୟ ଏବେବି ଚାଲୁ ରହିଥିବା ଦେଖିବାକୁ ମିଳିଛି । ବର୍ଷା ଦିନରେ ରାସ୍ତାରେ ମୋରମ ପଡି ରହୁଥିବା ବେଳେ ଚାରିଆଡେ କାଦୁଅ ହୋଇଯାଇଛି । କେତେକ ସ୍ଥଳେ ଡ୍ରେନ୍ ନିର୍ମାଣ କରି ଠିକ୍ ଭାବେ ମାଟି ପୋତି ନ ଥିବାରୁ ରାସ୍ତା ମଝିରେ ବଡ ବଡ ଖାଲ ରହିଥିବା ଦେଖିବାକୁ ମିଳୁଛି । ଟେଣ୍ଡର ନେଇଥିବା ସଂସ୍ଥା ଏଭଳି କାର୍ଯ୍ୟକୁ ନେଇ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ୍ୟ । କାର୍ଯ୍ୟ କରୁଥିବା ସଂସ୍ଥା ସହ ବିଏମ୍ସିର ମଧୁ ଚନ୍ଦ୍ରିକା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏଥିସିହିତ ଇସ୍କନ ମନ୍ଦିର ସମ୍ମୁଖରେ ଦେଖାଯାଉଥିବା ପାଣି ସମସ୍ୟାର ସମାଧାନ ହୋଇପାରି ନାହିଁ । ପ୍ରତିବର୍ଷ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମି ରହୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ବିଏମ୍ସି, ରାଜ୍ୟ ସରକାର, ଏନ୍ଏଚ୍ଏଆଇ ସବୁ ମିଳିତ ଭାବେ ସମସ୍ୟାର ସମାଧାନ ଦିଗରେ ଦିର୍ଘ ୫ ପାଞ୍ଚ ବର୍ଷ ଯୋଜନା ପସ୍ତୁତରେ ରହିଯାଇଛନ୍ତି ।
ପାଣି ସମସ୍ୟା ସମାଧାନ ପାଇଁ ଡ୍ରେନ କାର୍ଯ୍ୟ ଶେଷ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଡ୍ରେନ କାର୍ଯ୍ୟ ମଧ୍ୟ ଶେଷ ହୋଇପାରୁନି । କେବେ ସରିବ ତାହା ମଧ୍ୟ ବିଏମ୍ସି ପକ୍ଷରୁ କୁହାଯାଇନାହିଁ । ରାଜଧାନୀବାସୀଙ୍କ ଠାରୁୁ ସରକାର ବିଭିନ୍ନ ଆଳରେ ମୋଟା ଅଙ୍କର ଟ୍ୟାକ୍ସ ନେଉଥିଲେ ମଧ୍ୟ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି । ଏବେ ଡ୍ରେନ୍ ସଫେଇକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ଦେଖିବାକୁ ମିଳିଛି । କିଛି ଲୋକ ଏଥିପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଉପରେ ଦୋଷ ଦେଉଥିବା ବେଳେ ଆଉ କିଛି ଲୋକ ଏଥିପାଇଁ ବିଏମ୍ସିକୁ ଦାୟୀ କରିଛନ୍ତି ।

 

Related posts

ବରୀରେ ଅଭାବନୀୟ ଘଟଣା ଆମ୍ବୁଲାନ୍ସ ବଦଳେ ଟଲିରେ ବୁହାହେଲେ ପ୍ରସୂତି

mahabharatanews

ଝାଡ଼ାବାନ୍ତିରେ ଗଲାଣି ୬ ଜଣଙ୍କ ଜୀବନ

mahabharatanews

ରାସ୍ତାରୁ ଉଠେଇ ନେଇ ମହିଳାଙ୍କୁ ଦୁଷ୍କର୍ମ ,ଅଭିଯୁକ୍ତ ଗିରଫ

mahabharatanews