ଭୁବନେଶ୍ୱର/ଶିଳାସ୍ମିତା ରାୟ: ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ଏବେ କ୍ରାଇମ ବ୍ରାଞ୍ଚ କରିବ ମାମଲାର ତଦନ୍ତ । କାରଣ ଏକ ମାସ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି । ପୁଲିସ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦେଇସାରିଛି କ୍ଲିନ ଚିଟ । ଘଟଣାକୁ ଚାପିଦେବାକୁ ପୁଲିସର ଆପ୍ରାଣ ଉଦ୍ୟମକୁ ନେଇ ପୁଲିସ ପ୍ରଶାସନ ତଥା ସରକାରକୁ ସମାଲୋଚିତ ହେବାକୁ ପଡିଛି । ଅନ୍ୟପଟେ ପୁଅ ମୃତ୍ୟୁ ରହସ୍ୟ ଉପରୁ ପରଦା ନ ଉଠିଲେ ସୌମ୍ୟଙ୍କ ପରିବାର ବର୍ଗ ସମୂହ ଆତ୍ମଦାହ କରିବାକୁ ଚେତାବନୀ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଏହାର ତଦନ୍ତ କରିବେ । ଡିଏଫଓ ସଂଗ୍ରାମ ମହାପାତ୍ର ଓ ବିଦ୍ୟା ଭାରତୀଙ୍କୁ ପୁନଃ ଜେରାର ସମ୍ମୁଖୀନ ହେବାକୁ ହେବ ବୋଲି କୁହାଯାଇଛି । ତେବେ କଣ ସତରେ ସୌମ୍ୟଙ୍କୁ ମିଳିବ ନ୍ୟାୟ? କଣ ମୃତ୍ୟୁ ପଛର କାରଣ ବାହାରିବ? କଣ ସୌମ୍ୟଙ୍କ ହତ୍ୟାକାରୀକୁ ଧରିବ କ୍ରାଇମ ବ୍ରାଞ୍ଚ? ନା ଖାଲି ସମୟ ଗଡେଇବାକୁ ଏକ ଚାଲ?
ଜୁଲାଇ ୧୨ ରାତି ୯ଟାରେ ସୌମ୍ୟଙ୍କ ସରକାରୀ ବାସଭବନରେ ସେ ପୋଡିଗଲେ । ଘରେ ସେତେବେଳେ ପତ୍ନୀ ବିଦ୍ୟା ଭାରତୀ ଥିଲେ । ବିଦ୍ୟା ଏନେଇ ପଡୋଶୀଙ୍କୁ ଜଣାଇଥିଲେ । ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ଏମକେସିଜି ମେଡିକାଲ ହୋଇ ସୌମ୍ୟଙ୍କୁ କଟକ ଅଣାଗଲା । ସେଠାରେ ୧୩ ତାରିଖରେ ତାଙ୍କ ମୃତ୍ୟୁ ହେଲା । ଏହି ଘଟଣାକୁ ନେଇ ସୌମ୍ୟଙ୍କ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଲେ । ହତ୍ୟା ପଛରେ ବିଦ୍ୟା ତଥା ଡିଏଫଓ ସଂଗ୍ରାମ ମହାପାତ୍ରଙ୍କ ପ୍ରେମ ସମ୍ପର୍କକୁ କାରଣ ବୋଲି କହିଲେ । ଏଥିରେ ରୋଷେଇଆ ମନ୍ମଥ କୁମ୍ଭ ଓ ଆଇଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଟଣାଗଲା । ପୁଲିସ କିନ୍ତୁ ବିଦ୍ୟାଙ୍କୁ ଛାଡି ସମସ୍ତଙ୍କୁ ନିର୍ଦ୍ଦୋଷ କହିଦେଲା । ହେଲେ ବିଦ୍ୟାଙ୍କୁ ଗିରଫ କରାଗଲା ନାହିଁ ।

ପୁଲିସର ଏପରି ମାପ୍ ଚୁପ୍ ତଦନ୍ତକୁ ନେଇ ରାଜ୍ୟବ୍ୟାପୀ ସନ୍ଦେହ । ମାମଲାରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ମଧ୍ୟ ଟଣା ସରିଛି । ଏବେ କ୍ରାଇମ ବ୍ରାଞ୍ଚ କୋର୍ଟରେ ମାମଲା । ହେଲେ ଏହି ଘଟଣାରେ ପୂର୍ବରୁ ପୁଲିସକୁ କ୍ରାଇମବ୍ରାଞ୍ଚ ସାହାଯ୍ୟ କରିଛି । ଜଣେ ଉଦାମ ଯୁବକ ପୋଡି ହୋଇ ମରିଥିବା ବେଳେ ବାରି କବାଟର କିଛି ଅଂଶ ପୋଡିଥିବା ଓ ମଶା ନେଟର ଏକ କୋଣ ଜଳିଥିବା କହି ସାରିଛି । ଏବେ କେଉଁ ରିପୋର୍ଟ କ୍ରାଇମବ୍ରାଞ୍ଚ ଦେବ? ସତରେ କଣ ଘଟଣା ଉପରୁ ପରଦା ଉଠିବ? ନା ଖାଲି ଲୋକଙ୍କୁ ଭୁତେଇବାକୁ ଏକ ପ୍ରୟାସ?

ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାରେ ଯେତେବେଳେ କୃଷି ମନ୍ତ୍ରୀଙ୍କୁ ମାମଲାକୁ ଟଣାଗଲା ସେତେବେଳେ କ୍ରାଇମ ବ୍ରାଞ୍ଚକୁ ଯାଇଥିଲା ତଦନ୍ତ । କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ ଆଗେଇ ନ ଥିଲା ତଥା ତଦନ୍ତକାରୀ ସଂସ୍ଥା ଉପରେ ପରୀର ପରିବାରର ଭରସା ନ ଥିଲା । ତେଣୁ ଏସଆଇଟି ତଦନ୍ତ କଲା । ସେହିପରି ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ ଏହି ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ଘଟଣାକୁ ଏକ ବର୍ଷ ବିତିଗଲାଣି, କିନ୍ତୁ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ସେହିପରି ଚନ୍ଦ୍ରଶେଖର ପୁର ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ମଧ୍ୟ କ୍ରାଇମ ବ୍ରାଞ୍ଚକୁ ଯାଇଥିଲା କିନ୍ତୁ ମାମଲା ଠପ ପଡିଛି ।

ଏହି ତଦନ୍ତକାରୀ ସଂସ୍ଥା ଏକାଧିକ ମାମଲାର ତଦନ୍ତ କରିଛି । କିନ୍ତୁ କେତୋଟି ମାମଲାରେ ସଂସ୍ଥା ନିର୍ଯ୍ୟାସରେ ପହଞ୍ଚିଛି? ସଂସ୍ଥା ହାତକୁ ତଦନ୍ତଭାର ଯିବା ପରେ ଲୋକଦେଖାଣିଆ ଭାବେ ପ୍ରାରମ୍ଭିକ ଅବସ୍ଥାରେ ତଦନ୍ତ ଚାଲେ । ଲୋକଙ୍କ ମନରୁ ଘଟଣାକୁ ନେଇ ଆକ୍ରୋଶ ଥଣ୍ଡା ପଡିବାଲେ ତଦନ୍ତ ପ୍ରକ୍ରିୟାରେ ଡୋରି ବନ୍ଧା ହୁଏ । ଏହି ସଂସ୍ଥା କେବଳ ଲୋକଙ୍କ ଆକ୍ରୋଶ ପ୍ରଶମିତ କରିବାକୁ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବେ ସୌମ୍ୟଙ୍କ ମାମଲାରେ ସଂସ୍ଥା ପୁଲିସଠାରୁ କଣ ଅଧିକ କରୁଛି ତାହା ଦେଖିବାକୁ ବାକି ରହିଲା ।
