(ଏସ କେ ଫଏଜନ କାଦ୍ରେ / ଭଦ୍ରକ) ; ଭଦ୍ରକ ପୌରପାଳିକା ଅଧିନ ୫ ନଂ ଓ୍ବାର୍ଡ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ | ଦୀର୍ଘ ଦିନ ହେବ ବିଭିନ୍ନ ମୌଳିକ ସମସ୍ୟା ଭିତରେ ହନ୍ତସନ୍ତ ହେଉଛନ୍ତି ଓ୍ବାର୍ଡବାସୀ | ବିଶେଷକରି ୫ ନମ୍ବର ଓ୍ବାର୍ଡର କଣ୍ଟାପାଳ ଅଞ୍ଚଳରେ ଡ୍ରେନଜ ବ୍ୟବସ୍ଥା ନଥିବାରୁ ବର୍ଷାଦିନେ ଜଳ ନିଷ୍କାସନ ହୋ ନ ପାରି ରାସ୍ତାରେ ପାଣି ଜମି ରହିବା ସହ ଘରେ ପଶୁଛି ବର୍ଷାଜଳ | ଫଳରେ ବର୍ଷାଦିନେ ନାହିଁ ନଥିବା ଅସୁବିଧା ଭୋଗନ୍ତି ଅଞ୍ଚଳବାସୀ |ତେବେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ପ୍ରତି ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ | ପୌରପାଳିକା ଅଧିକାରୀଙ୍କ ସହ ୫ ନମ୍ବର ଓ୍ବାର୍ଡକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ |ପାଣି ଭିତରେ ଚାଲି ଚାଲି ସମସ୍ୟା ଦେଖିବା ସହ ଅଞ୍ଚଳବାସୀଙ୍କ ଅଭିଯୋଗକୁ ଶୁଣିଥିଲେ | ତେବେ ତୁରନ୍ତ ସମସ୍ୟା ସମାଧାନ ପାଇଁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ |