ଓଡିଶା

କୁମାର ପୂର୍ଣ୍ଣିମା: ବଡି ଭୋରୁ କୁମାରୀଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି କୁମାର ପୂର୍ଣ୍ଣିମା । ରାଜ୍ୟର ଅଧିକାଂଶ ସ୍ଥାନରେ ପାଳିତ ହୋଇଥାଏ କୁମାରୀମାନଙ୍କ ଏହି ପର୍ବ । ତେଣୁ ଆଜି ବଡି ଭୋରୁ କୁମାରୀମାନେ ଉଠି ସ୍ନାନ ଶୌଚ ପରି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଛନ୍ତି । ଚଉରା ମୂଳରେ ମା’ ବୃନ୍ଦାବତୀଙ୍କ ସ୍ମରଣା ପୂର୍ବକ ସୂର୍ଯ୍ୟଙ୍କୁ ଖଇ ଓ ୭ ଗୋଟି ସାମଗ୍ରୀରେ ଆଞ୍ଜୁଳି ଟେକିଛନ୍ତି ।
କାହିଁ କେଉଁ ଯୁଗରୁ ଏହି ପର୍ବ ପାଳିତ ହୋଇଆସୁଛି ଓଡିଶାରେ । ଏହି ଓଷାର ମୁଖ୍ୟ ଉଦ୍ଦେଶ୍ୟ, ଭାଇଙ୍କ ମଙ୍ଗଳ ମନାସିବା ଓ କୁମାରଙ୍କ ପରି ସ୍ୱାମୀ ପ୍ରାପ୍ତି । ବଡି ଭୋରୁ ସୂର୍ଯ୍ୟଦୟ ସମୟରେ କୁମାରୀମାନେ ଖଇ ସହ କଦଳୀ, ନଡିଆ, ଆଖୁ, ଜହ୍ନି କଷି, କାକୁଡି କଷି, ଗୁଆକୁ ଆଞ୍ଜୁଳିରେ ଭରି ସୂର୍ଯ୍ୟଦେବଙ୍କୁ ଆଞ୍ଜୁଳି ଟେକିଥାନ୍ତି । ଦିନଟି ଉପବାସ ରଖିବା ପରେ ରାତିରେ ଚନ୍ଦ୍ର ପୂଜା କରାଯାଇଥାଏ । ବୃନ୍ଦାବତୀଙ୍କ ନିକଟରେ ସକାଳେ ଆଞ୍ଜୁଳି ଟେକିଥିବା ଖଇ ସହ ଗୁଡ, ନଡିଆ, କଦଳି, ଛେନା, ଗୁଜୁରାତି, ଗୋଲମରିଚ, ଦହୀକୁ ଚକଟିଥାନ୍ତି । ସେହି ଚକଟାରେ ଥାଳରେ କଦଳୀ ପତ୍ର ରଖି ଅର୍ଦ୍ଧଚନ୍ଦ୍ର ଆଙ୍କିବା ସହ ତାରାର ପ୍ରତିକୃତ୍ତି କରି ପୂଜା କରିଥାନ୍ତି । ପୂଜା ପରେ ପୋଖରୀକୁ ଭାଇର ଶୁଭ ମନାସିବା ସହ କୁମାରଙ୍କ ପରି ସୌମ୍ୟକାନ୍ତ ବରଟିଏ ପାଇଁ କାମନା କରି ମାଛମାନଙ୍କୁ ସେହି ଚକଟାକୁ ଫିଙ୍ଗିବା ସହ ପୋଖରୀ ହୁଡାରୁ ଗେଣ୍ଡା, ଗେ।।ଡି ଯାହା ହାତରେ ଯାହା ଲାଗିଲା ତାହାକୁ ସଂଗ୍ରହ କରିଥାନ୍ତି ।
ପୂଜା ପରେ କୁମାରୀମାନେ ବିଭିନ୍ନ ଖେଳକୁଦରେ ରାତି ତମାମ ମୌଜ ମଜଲିସ କରିଥାନ୍ତି । କୁମାରୀଙ୍କ ନାଚ ଗୀତରେ ଗାଁ ଭୂମି ରାତି ତମାମ ପ୍ରକମ୍ପିତ ହୋଇଥାଏ । ଚଳିତ ବର୍ଷ କରୋନା କଟକଣା ପାଇଁ ବିଭିନ୍ନ ଅଂଚଳରେ କୁମାର ଉତ୍ସବ ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରା ରକ୍ଷା ପୂର୍ବକ ସକାଳ ପୂଜା ଶେଷ ହୋଇଛି ।

Related posts

ସମ୍ପର୍କୀୟ ଦିଅର-ଭାଉଜଙ୍କ ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ

mahabharatanews

କଟକ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ

mahabharatanews

ମାଡ ମାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ

mahabharatanews