ଭୁବନେଶ୍ୱର: ଆସନ୍ତା କାଲି କଂଗ୍ରେସର ଜାତୀୟ ନେତା ମମିତା ମେହେରଙ୍କ ଗାଁକୁ ଯିବେ । ସେଠାରେ ମମିତାଙ୍କ ପରିବାରକୁ ସାକ୍ଷାତ କରିବେ । ଜାତୀୟ କଂଗ୍ରେସ ସମ୍ପାଦକ ରନଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁକୁ ଯାଇ ମମିତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ସେଠାରୁ ଫେରିବା ପରେ ଭୁବନେଶ୍ୱରରେ ସମ୍ବାଦିକ ସମ୍ମିଳନୀ କରିବେ । ଏହା ପରେ ୧ ତାରିଖରେ ସମଗ୍ର ଦେଶରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ମାତ୍ର ୫ ଟଙ୍କା ଦେଇ ଯେକୌଣସି ବ୍ୟକ୍ତି ୫ ବର୍ଷ ପାଇଁ ସଭ୍ୟ ହୋଇପାରିବେ । ଭୁବନେଶ୍ୱରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ୩୧ ମାର୍ଚ୍ଚ ପର୍ୟ୍ୟନ୍ତ ଚାଲିବ । ଚଳିତ ଥର ୧୦ ଲକ୍ଷ ସଭ୍ୟ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଛି କଂଗ୍ରେସ । ଏନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ମମିତା ମେହେର ଘଟଣାରେ ସରକାରଙ୍କ ନୀରବତାକୁ ବରଦାସ୍ତ କରାଯିବ ନାହିଁ । କଂଗ୍ରେସ ଏନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛି ଦଳ । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏମ ଏସ ଏମ ଇ ବିଭାଗର ବୈଠକରେ ଯୋଗ ଦେଉଛନ୍ତି ହେଲେ ନିଜ ବିରୋଧରେ ଆସୁଥିବା ଅଭିଯୋଗ ନେଇ ମୁଁହ ଖୋଲୁନାହାନ୍ତି । ବିଜେଡିର ବରିଷ୍ଠ ମୁଖପାତ୍ର ନିରବ ଥିବା ବେଳେ କନିଷ୍ଠ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଏହାକୁ ନେଇ କଂଗ୍ରେସ ପ୍ରଶ୍ନ କରୁଛି, ବରିଷ୍ଠ ଗଲେ କୁଆଡେ? ମହାଳିଙ୍ଗ କଲେଜ କୁ ଗଣଶିକ୍ଷା ମନ୍ତ୍ରୀ ଗଲେ ନାହିଁ ହେଲେ ଆଇନ ମନ୍ତ୍ରୀ ଯାଇ କାହିଁକି ପ୍ରଶଂସାରେ ପୋତି ଦେଉଥିଲେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବୋଲି ପ୍ରଶ୍ନ କରୁଛି କଂଗ୍ରେସ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଜିଲ୍ଲାର ଘଟଣା ହୋଇ ସମବେଦନା ନ ଜଣାଇବା ଲଜ୍ୟା ଜନକ ବୋଲି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି ।