ଓଡିଶା

ହିଞ୍ଜିଳିକାଟୁ କାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଉତ୍ତେଜନା

ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ଆଙ୍କରୋଡ଼ା ଅଞ୍ଚଳରେ ଗତ ସପ୍ତାହେ ଧରି ଅନୁଷ୍ଠିତ ହେଉଥିବା ମା ମହୁରୀ କାଳୁଆ ଯାତ୍ରାର ଉଦଯାପନି ଉତ୍ସବରେ ଯାନୀ ନଗର ସାହି ଓ ଧୋବା ସାହି ମଧ୍ୟରେ ବିବାଦ ଉପୁଜିଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଯାନୀ ନଗର ସାହିରେ ଠାକୁରାଣୀ ପୂଜା ସମାପ୍ତ ହେବା ପରେ ବୁଧବାର ପୂର୍ବାହ୍ନରେ ଗ୍ରାମ ପରିକ୍ରମା ପାଇଁ ପଟୁଆର ବାହାରିଥିଲା। କିନ୍ତୁ ଧୋବା ସାହିର ଲୋକ ମାନଙ୍କୁ ଏଥିରେ ସାମିଲ ନହେବାକୁ ଧମକ ଦେବା ଅଭିଯୋଗରେ ଧୋବା ସାହିର ଲୋକମାନେ ପଟୁଆରକୁ ଅଧାରେ ଅଟକାଇଥିଲେ। ପୂର୍ବରୁ ଯାନୀ ନଗର ସାହିର ଜଣେ ଯୁବକ ଧୋବା ସାହିର ଅନ୍ୟ ଜଣେ ଯୁବକକୁ ମାରପିଟ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା। ଏହି ଦୁଇ ଘଟଣାକୁ କେନ୍ଦ୍ର କରି ଅଙ୍କରୋଡ଼ା ଗ୍ରାମରେ ଉତ୍ତେଜନା ବୃଦ୍ଧି ପାଇଥିଲା। ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜାତିଆଣ ମନ୍ତବ୍ୟକୁ ନେଇ ପୁଣିଥରେ ବିବାଦ ହୋଇଥିଲା। ପ୍ରାୟ ୫ ଶହ ଲୋକଙ୍କ ଉପସ୍ଥିତି ଓ ପରିସ୍ଥିତି ଅଣାୟତ ହେବା ଖବର ପାଇ ହିଞ୍ଜିଳିକାଟୁ ତହସିଲଦାର ତଥା କାର୍ୟ୍ୟନିର୍ବାହୀ ଦଣ୍ଡାଧିକାରୀ ପ୍ରଭାତ କୁମାର ପରିଡ଼ା, ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉମାଶଙ୍କର ସିଂ, ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ୟ୍ୟମଣି ପ୍ରଧାନ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଓ ଶେରଗଡ଼ ଥାନାଧିକାରୀ ମମତା ସାମନ୍ତରାୟ ଦୁଇ ପ୍ଲାଟୁନ ପୁଲିସ ବଳ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଦୀର୍ଘ ୬ ଘଣ୍ଟାର ଉତ୍ତେଜନା ପରେ ଗ୍ରାମ କମିଟିର ସଦସ୍ୟ, ପୌରନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ଉପସ୍ଥିତ ଅନ୍ୟ ଅଧିକାରୀ ମାନେ ଉଭୟ ଗୋଷ୍ଠିକୁ ବୁଝାଇ କେବଳ ୧୦ ଜଣ ବ୍ୟକ୍ତି ପଟୁଆରରେ ରହିବେ ବୋଲି ରାଜି କରାଇଥିଲେ। କିନ୍ତୁ ପୁଣି ଉଭୟ ଗୋଷ୍ଠି ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହେବାରୁ ପଟୁଆର ଅଧାରୁ ବନ୍ଦ ହୋଇଯାଇଥିଲା। ଖବର ଲେଖା ହେବା ପର୍ୟ୍ୟନ୍ତ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ବଳ ଘଟଣାସ୍ଥଳରେ ମୁତୟନ ରହିଛନ୍ତି।

 

Related posts

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

mahabharatanews

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

mahabharatanews

ସ୍ମୃତି ଚାରଣ ସମାରୋହ

mahabharatanews