ନୂଆଦିଲ୍ଲୀ: ଲୋକପ୍ରିୟ ଭାରତୀୟ ସଙ୍ଗୀତଜ୍ଞ ତଥା ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ସେ ଗତ ୬ ମାସ ହେବ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ହସ୍ପିଟାଲରେ ତାଙ୍କର ଡାଏଲିସିସ୍ ଚାଲିଥିଲା । ଚିକିତ୍ସା ଚାଲିବା ସହ ଆଜି ତାଙ୍କର ହୃଦଘାତରେ ନିଧନ ହୋଇଛି । ଭାରତୀୟ ବାଦ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ଶର୍ମାଙ୍କ ଅବଦାନ ଅତୁଳନୀୟ ।
ଶିବକୁମାର ଶର୍ମା ଏକ ଲୋକପ୍ରିୟ ସନ୍ତୁର ବାଦକ ଭାବରେ ବେଶ୍ ଜଣାଶୁଣା ଥିଲେ । ଏଥିପାଇଁ ସେ ବେଶ ପ୍ରସିଦ୍ଧ ମଧ୍ୟ ଲାଭ କରିଥିଲେ । ତାଙ୍କ ଆଙ୍ଗୁଳିର ତାଳେତାଳେ ବାଜୁଥିବା ସନ୍ତୁରର ମୂର୍ଚ୍ଛନା ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । ଏଥିପାଇଁ ଦେଶରେ ଓ ଦେଶ ବାହାରେ ତାଙ୍କୁ ‘ସୁଲତାନ୍ ଅଫ୍ ଷ୍ଟ୍ରିଙ୍ଗ’ର ଆଖ୍ୟା ମିଳିଛି । ତାଙ୍କ ମୃତ୍ୟୁ ସହ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ହୋଇଛି ।
ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି କିଛି ହିନ୍ଦୀ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶିବକୁମାର ଶର୍ମା । ସେମାନଙ୍କ ଯୋଡ଼ି ଶିବ-ହରି ନାମରେ ବିଖ୍ୟାତ ଥିଲା । ସିଲସିଲା, ଚାନ୍ଦନୀ ଓ ଡର୍ ଭଳି ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶିବ-ହରି । ୧୯୫୬ରେ ଫିଲ୍ମ ଝନକ ଝନକ ପାୟଲ ବାଜେରେ ପଣ୍ଡିତ ଶିବକୁମାର ଶର୍ମା ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଦେଇଥିଲେ । ୧୯୯୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।