ତଦନ୍ତ କଲେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ
ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ପିଲାମାନେ ସ୍କୁଲ ଫି ନ ଦେଇପାରିବାରୁ ପିଲାଙ୍କୁ ବନ୍ଦୀ କରାଯାଇଥିଲା। ସମ୍ପୃକ୍ତ ଘଟଣାରେ ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଥିଲେ। ସେପଟେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ ସ୍କୁଲରେ ପହଞ୍ଚି ତଦନ୍ତ କରିଛନ୍ତି। ସମ୍ପୃକ୍ତ ଘଟଣାରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ କଥା ହୋଇଛନ୍ତି। ବିଭାଗୀୟ ଶାସନ ସଚିବଙ୍କ ଜରିଆରେ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କୋମଳମତି ପିଲାଙ୍କୁ ମାନସିକ ନିର୍ଯାତନା ଦେଇଥିବା ସ୍କୁଲର ସ୍ୱୀକୃତି କାହିଁକି ପ୍ରତ୍ୟାହାର କରାନଯିବ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ସେପଟେ ଶିଶୁ ଅଧିକାର ଓ ଆରଟିଇ ଆଇନ ଉଲଘଂନ ହୋଇଛି ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି। ଘରୋଇ ସ୍କୁଲ ସାଧାରଣତଃ ପିଲାଙ୍କର ଅଧିକ ଯତ୍ନ ନେବା କଥା। ଏନେଇ ଡିଇଓ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସୁପାରିଶ କରିବେ। ସ୍କୁଲର ସିବିଏସଇ ସ୍ୱୀକୃତି ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ତଦନ୍ତ କରାଯିବ ବୋଲି ସନ୍ଧ୍ୟାବତୀ କହିଛନ୍ତି। ଗତ ସୋମବାର ଦିନ ସ୍କୁଲ ଫି ନଦେଇ ପାରିବାରୁ ୫ ଘଣ୍ଟା ଧରି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀ ରୁମରେ ଅଟକ ରଖିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
