ଓଡିଶା

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

କେଉଁଝର: କେଉଁଝର ଜିଲ୍ଲା ଘଟଗାଁ ବ୍ଲକ ଓ ହାଟଡିହି ବ୍ଲକରେ କାର୍ଯ୍ୟରତ ବ୍ଲକ ଶିକ୍ଷାଧିକାରୀ ଅଭୟ ବେହେରା ୧୫ ହଜାର ଟଙ୍କା ଲାଞ୍ଚ ନେଉ ଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଇଓଙ୍କ ଠାରୁ ବାଲେଶ୍ୱର ଭିଜିଲାନ୍ସ ଟିମ୍ ୧୫ ହଜାର ଟଙ୍କାକୁ ଜବତ କରିଥିଲା। ତେବେ ଶ୍ରୀ ବେହେରାଙ୍କ ପୈତୃକ ଘର ବିଞ୍ଝାରପୁର ଓ ଯାଜପୁର ଟାଉନରେ ଥିବା କୋଠା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଦ୍ୱାରା ଚଢାଉ କରାଯାଉଥିବା ଭିଜିଲାନ୍ସ ଡିଏସପି ଏସକେ ସାମନ୍ତରାୟ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଘଟଗାଁ ବ୍ଲକର ୩୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ୧୫ ମାସର ବକେୟା ଦରମା ମଞ୍ଜୁର ଲାଗି ୬୦ ହଜାର ଟଙ୍କା ଲାଞ୍ଚ ନେବେ ବୋଲି ମୁଲଚାଲ ହୋଇଥିଲା। ଏହି ମୂଲଚାଲ ସମ୍ପୃକ୍ତ ବ୍ଲକର ଭୋଲବେଡା କାଶୀସାହି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କମଳାକାନ୍ତ ପଣ୍ଡାଙ୍କ ସହିତ ହୋଇଥିଲା। ୪୫ ହାଜର ଟଙ୍କା ଦେବା ଲାଗି ଶିକ୍ଷକ ଶ୍ରୀ ପଣ୍ଡାଙ୍କ ସହିତ କଥା ଛିଣ୍ଡିଥିଲା। ଶ୍ରୀ ପଣ୍ଡା ଘଟଣା ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଅବଗତ କରାଇବା ସହ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶିକ୍ଷକ ଶ୍ରୀ ପଣ୍ଡା ବିଇଓ ଶ୍ରୀ ବେହେରାଙ୍କୁ ଏହି ଅର୍ଥ ପ୍ରଦାନ କରିଥିଲେ। ପରେ ଭିଜିଲାନ୍ସ ଟିମ ପକ୍ଷରୁ ୧୫ ହଜାର ଟଙ୍କା ଉଦ୍ଧାର କରାଯାଇଥିଲା। ଏହି ଚଢାଉରେ ଭଦ୍ରକ ଭିଜିଲାନ୍ସ ଡିଏସପି ଏସକେ ସାମନ୍ତରାୟ, ଭଦ୍ରକ ଭିଜିଲାନ୍ସ ଇନସପେକ୍ଟର ସୁଲୋଚନା ନାଏକ, ବାଲେଶ୍ୱର ଭିଜିଲାନ୍ସ ଇନସପେକ୍ଟର ବିକାଶ ସ୍ୱାଇଁ ଓ ଦାଶରଥୀ ହେମ୍ବ୍ରମ ପ୍ରମୁଖ ସାମିଲ ହୋଇଥିଲେ।

Related posts

ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ

mahabharatanews

ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ

mahabharatanews

ଜିଲ୍ଲା ଜିଲ୍ଲା ବୁଲୁଛି ଅହିଂସା ରଥ

mahabharatanews