ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଅପରାଧୀମାନେ ଏବେ ସକ୍ରିୟ ହୋଇଉଠିଛନ୍ତି । ମହାବଳଶାଳୀ କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଅପରାଧ ରାଜ ଚଳାଇଛନ୍ତି । କେତେବେଳେ ପଥଚାରୀଙ୍କୁ ରାସ୍ତାରେ ହାଣି ଲୁଟପାଟ କରୁଛନ୍ତି ତ କେତେବେଳେ ବିଚବଜାରରେ ଗୋଡାଇ ହାଣି ହତ୍ୟା କରୁଛନ୍ତି । ତେବେ ପୂଜା ପୂର୍ବରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ନିଶା କାରବାରକୁ ନେଇ ୟୁନିଟ୍ ୮ ନାରାୟଣ ବସ୍ତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ୩ ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଲେଡି ଡନ୍ ଓ ତାଙ୍କ ସ୍ବାମୀଙ୍କ ସମେତ ଅନ୍ୟ ସହଯୋଗୀ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।
ଗତକିଛିଦିନ ହେଲା ଅପରାଧୀମାନେ ଏଭଳି ଘଟଣା ଘଟାଉଥିଲେ ମଧ୍ୟ ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଛି । ଏହି କ୍ରମରେ ଗତକାଲି ରାତିରେ ନୂଆପଲ୍ଲୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ, ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ (୩୭) । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି ।ସୂଚନା ଅନୁସାରେ, ଦୀର୍ଘଦିନ ଧରି ଚନ୍ଦୁ ନିଶା କାରବାର କରୁଥିଲା । ପରେ ସେ ସେଥିରୁ ଦୂରେଇ ଯାଇଥିଲା । କିନ୍ତୁ ପୁରୁଣା ହିସାବକୁ କେନ୍ଦ୍ରକରି ତା’ର କିଛି ଯୁବକଙ୍କ ସହ ବିବାଦ ହୋଇଥିଲା । ତାହାକୁ କେନ୍ଦ୍ରକରି କିଛି ଦିନ ତଳେ ଚନ୍ଦୁ ସହ ସେମାନେ ଗଣ୍ଡଗୋଳ କରିଥିଲେ ।
ତେବେ ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ୍-୮ସ୍ଥିତ ନାରାୟଣୀ ବସ୍ତିକୁ ଉକ୍ତ ଯୁବକମାନେ ଆସି ଚନ୍ଦୁ ସହ ଗଣ୍ଡଗୋଳ କରିଥିଲେ । ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ ବଚସା ହେବା ପରେ ଯୁବକମାନେ ତାଙ୍କୁ ମାଡ ମାରିଥିଲେ । ଚନ୍ଦୁ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଦୌଡିଥିଲେ ହେଁ ସେମାନେ ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।ତେବେ ଘଟଣା ସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ପହଂଚି ଅଧିକ ତଦନ୍ତ ଚଳାଇଛି |