ନୂଆଦିଲ୍ଲୀ: ପ୍ରଥମ କରି ଚନ୍ଦ୍ର ଯାତ୍ରାରେ ଆଜି ‘ନାସା’ ‘ଆର୍ମେଟିସ୍-୧‘ ନାମକ ମହାକାଶଯାନକୁ ପ୍ରେରଣ କରିଛି । ମାନବରହିତ ଏହି ଯାନ ଚନ୍ଦ୍ର ପରିକ୍ରମା କରି ପୁଣି ଫେରିଆସିବ। ଫ୍ଲୋରିଡାସ୍ଥିତ କେପ୍ କାନାଭେରାଲ୍ରୁ ‘ଅରିଅନ୍’ ମହାକାଶଯାନ ସହିତ ‘ସ୍ପେସ୍ ଲଞ୍ଚ୍ ସିଷ୍ଟମ୍’କୁ ଉତକ୍ଷେପଣ କରାଯାଇଛି । ‘ଆର୍ମେଟିସ୍-୧’ ଉତ୍କ୍ଷେପଣ ନିମନ୍ତେ ଏହା ହେଉଛି ‘ନାସା’ର ତୃତୀୟ ଉଦ୍ୟମ। ବାରମ୍ବାର ଇନ୍ଧନ ‘ଳିକ୍’ ହେବା, ଇଞ୍ଜିନ୍ରେ ତ୍ରୁଟି ଦେଖା ଦେବା, ଦୁଇ ଥର ତୋଫାନ ପ୍ରବାହିତ ହେବା ଭଳି ଅସୁବିଧା ହେତୁ ଏହାର ଉତ୍କ୍ଷେପଣ ବାତିଲ କରାଯାଇଥିଲା । ‘
ନାସା’ର ‘ଏକ୍ସପ୍ଲୋରେସନ୍ ସିଷ୍ଟମ୍ସ୍ ଡେଭ୍ଲପ୍ମେଣ୍ଟ୍’ର ରାଚେଲ୍ କ୍ରାଫ୍ଟ୍ ଗଣମାଧ୍ୟମକୁ କହିଛନ୍ତି, ମହାକାଶର ସୁଦୂର ଗନ୍ତବ୍ୟସ୍ଥଳୀକୁ ମାନବୀୟ ଓ ରୋବୋଟିକ୍ ଅଭିଯାନ ନିମନ୍ତେ ‘ଏସ୍ଏଲ୍ଏସ୍’ ନୂତନ ଅନୁସନ୍ଧାନ ସାମର୍ଥ୍ୟ ଓ ଆବଶ୍ୟକ ଅନୁଯାୟୀ ସୁବିଧା ଯୋଗାଇ ଦେବ । ଏହା ଅଧିକ ଓଜନିଆ ‘ପ୍ଲେଲୋଡ୍’ ବହନ କରିବା ସହ ଏବକାର ରକେଟ୍ ଅପେକ୍ଷା ଅଧିକ ଶକ୍ତି ଯୋଗାଇବ । ୪୨ଦିନିଆ ଗସ୍ତରେ ଯାଇଥିବା ଏହି ମହାକାଶଯାନ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏଡ଼ାଇବା ସଙ୍ଗେ ସଙ୍ଗେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ତା’ର ମାଧ୍ୟାକର୍ଷଣ ଶକ୍ତିଦ୍ବାରା ନିୟନ୍ତ୍ରିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ମାନବକୁ ଚନ୍ଦ୍ରର କକ୍ଷପଥ ଓ ପୃଷ୍ଠକୁ ପରିବହନ କରିବା।
