କଳାହାଣ୍ଡି/ଜନକ ପୋଡ଼ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ରୁପ୍ରାରୁ ଲମ୍ବି ଥିବା ମାଟ୍ରିକ ପ୍ରଶ୍ନ ପତ୍ର ଲିକ୍ ମାମଲାରେ କେସିଙ୍ଗା ପୋଲିସ ୫ ଦିନ ତନା ଘାନା ପରେ ମଙ୍ଗଳବାର ରାତିରେ ୮ ଜଣଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୨୨ଟି ମୋବାଇଲ ଲାପଟପ ୫ ଟି, ସିପିୟୁ ୧, ଗୋଟାଏ ପେନ୍ ଡ୍ରାଇଭ୍ ଓ ନଗଦ ୧୮୯୫୦ ଟଙ୍କା ଜବତ କରିଛି। ସେମାନଙ୍କୁ କେସିଙ୍ଗା ପୋଲିସ ରାତ୍ର ୮.୩୦ ରେ କୋର୍ଟ ଚାଲାଣ କରିଛି। ତେବେ ଏ ନେଇ କେସିଙ୍ଗା ଏସ ଡି ପି ଓଙ୍କୁ ପଚାରିବାରୁ ସେ କିଛି ନ କହି ଏସ ପି ବିବରଣୀ ଦେବେ ବୋଲି ପ୍ରକାଶ କରିଥିଲେ।
ସୂଚନା ଯୋଗ୍ୟ, ଗତ ପାଞ୍ଚ ଦିନ ତଳେ କେସିଙ୍ଗା ପୋଲିସ ପ୍ରାୟ ରାତି ୨ ଟା ବେଳେ ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ପ୍ରାଣବନ୍ଧୁ ସାହୁଙ୍କ ସହିତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଉଠାଇ ଆଣିଥିଲା । ଏହି ଘଟଣାର ଗୁରୁତ୍ଵ ଏତେ ଥିଲା ଯେ, ଖୋଦ୍ କଳାହାଣ୍ଡି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ନିଜେ ଆସି ଅଭିଯୁକ୍ତ ମାନଙ୍କୁ ମାରାଥନ ଜେରା କରିଥିଲେ । ଗତ କିଛି ଦିନ ହେଲା ଅଭିଯୁକ୍ତ ମାନଙ୍କୁ କୌଣସି ଏକ ଅଜଣା ଜାଗାରେ ରଖି ତଦନ୍ତ ଜାରି ରଖି ଥିଲା ।ଆଜି ଏହି ଘଟଣାରେ ପୂର୍ଣ୍ଣଛେଦ ପକାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।