(ପୁରୀ) : ଆଉ ୨୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ସଜଡ଼ା ଚାଲିଛି ପହଣ୍ଡି ବାଟ। ରଥଯାତ୍ରା ଶେଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ପାଇଁ ଚେନ୍ନାଇ ଏସ୍ ଏନ୍ ୟୁନିଭର୍ସିଟିର କୁଳପତି ତଥା ଖଡ଼ଗପୁର ଆଇଆଇଟିର ପୂର୍ବତନ ଉପନିର୍ଦ୍ଦେଶକଙ୍କ ନେତୃତ୍ବରେ ଗଠିତ ଏକ ସ୍ବତନ୍ତ୍ର ବୈଷୟିକ କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାମ ଜାରି ରହିଛି।

ସୂଚନାନୁଯାୟୀ , ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଥିବାବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଛି। ଗତ ରଥଯାତ୍ରା ସମୟରୁ ଶ୍ରୀଗୁଣ୍ଡିଚା ନାଟମଣ୍ଡପ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଯେହେତୁ ମୁଣ୍ଡ ଉପରେ ରଥଯାତ୍ରା ଥିଲା, ଏହାର କାମଚଳା ମରାମତି କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ସହ ଅନ୍ୟାନ୍ୟ ସ୍ଥାନର ମରାମତି କାମ ଚାଲିଛି।
