(ହୀରାକୁଦ): ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର କେଲା ଓ କଲମା ଡ୍ୟାମର ସବୁ ଗେଟ୍ ଖୋଲିଦେଇଛି । ଏହା ପରେ ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍ ରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ଏବେ ୬୨୪.08 ଫୁଟରେ ପହଞ୍ଚିଛି ଜଳସ୍ତର । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବା ନେଇ ନିଷ୍ପତ୍ତି ନେଇଛି । ରବିବାର ସକାଳ ୯ଟା ବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏ ନେଇ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ ।
ସୂଚନାନୁଯାୟୀ , ହୀରାକୁଦ ଡ୍ୟାମ ଏହାର ୫ ଟି ଗେଟ୍ ଖୋଲିବ । ସ୍ଥିତିକୁ ଦେଖି ଆଗାମୀ କେତୋଟି ଗେଟ୍ ଖୋଲାଯିବ ଜଣାପଡିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି । ହୀରାକୁଦ ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ଆଗକୁ ବର୍ଷା ସମ୍ଭାବନା ଯୋଗୁଁ ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି ।
