(ପୁରୀ); ପୁଣି ଆରମ୍ଭ ହେବ ପାରମାଣିକ ଦର୍ଶନ । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଦେବାକୁ ପଡ଼ିବ ପାଉଣା । ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ଟଙ୍କା ଦେବାକୁ ପଡ଼ିବ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ ।
ସୂଚନାନୁଯାୟୀ , ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠ ନିକଟରୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ପାଉଣା ଦେଇ ପ୍ରଭୁଙ୍କୁ ଦର୍ଶନ କରିବେ । ଏହାସହ ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ନରେନ୍ଦ୍ରରେ ସଂକଳ୍ପ କରିବା ଆଦି ଉପରେ ଶୁଳ୍କ ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡ଼ିକୁ ଟେଣ୍ଡର କରି ମାହାଲ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ।