ମମତା ସାମଲ: କୋଟି କୈବଲ୍ୟ ନାଥ ଶ୍ରୀ ଜଗନ୍ନାଥ । କିଏ କିଏ ତାକୁ କାଳିଆ ସାଆନ୍ତ ବୋଲି ଡାକନ୍ତି । ଯାହାର ଦର୍ଶନ ମାତ୍ରକେ ମନରେ ଖେଳି ଯାଏ ଅପୂର୍ବ ଆନନ୍ଦ । ଯାହାର ଖାଦ୍ୟ ପରଷନ୍ତି ନିଜେ ମା ଅନ୍ନପୁର୍ଣ୍ଣା । ସେଥିପାଇଁ ସେହି ପ୍ରସାଦକୁ କୁହାଯାଏ ମହାପ୍ରସାଦ । କୁହାଯାଏ ଭାଗ୍ୟରେ ଥିଲେ କାଳିଆ ସାଆନ୍ତଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରିବାର ସୌଭାଗ୍ୟ ମିଳିଥାଏ । କାହିଁ କେଉଁ ପୁରାତନ କାଳରୁ ମହାପ୍ରଭୁଙ୍କୁ ସମ୍ମାନ ଜଣାଇ ମହାପ୍ରସାଦକୁ ତଳେ ବସି ଖାଇବାର ପ୍ରଥା ରହିଛି । ସେଥିପାଇଁ ତ ଆନନ୍ଦ ବଜାରରେ ଲାଗେ ଅନେକ ଗହଳି । କିନ୍ତୁ ଏବେ କିଛି ବ୍ୟବସାୟିକ ସଂସ୍ଥା କୋଟି କୋଟି ଓଡିଆଙ୍କ ଭାବନା ସହ ଖେଳ ଖେଳୁଥିବା ଅଭିଯୋଗ ହେଉଛି । ମହାପ୍ରସାଦ ନହୋଇ ମଧ୍ୟ ଲୋକଙ୍କ ମନରେ ମହାପ୍ରସାଦର ଭ୍ରମ ସୃଷ୍ଟି କରାଯାଉଛି । କୁଡୁଆରେ ପରସା ଯାଉଛି ଭାତ, ଡାଲି, ବେସର । ଏହାକୁ ଲୋକମାନେ ଟେବୁଲ, ଚେୟାରରେ ବସି ଖାଉଛନ୍ତି, ଯାହା ଜଗନ୍ନାଥ ସଂସ୍କୃତି ଏବଂ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ କୁଠରାଘାତ କରୁଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛୁ ସମ୍ବଲପୁର ସହରର ‘ଓଡିଆ ଅଭଡା’ନାମକ ଏକ ରେଷ୍ଟୁରାଣ୍ଟର ଦୃଶ୍ୟ । ଯେଉଁ ରେଷ୍ଟୁରାଣ୍ଟରେ ଅଭଡାର ଭ୍ରମ ସୃଷ୍ଟ କରି ଲୋକମାନଙ୍କୁ କଦଳୀ ପତ୍ରରେ ପରଷା ଯାଉଛି ଭାତ,ଡାଲି,ବେସର । ଲୋକମାନେ ଟେବୁଲ,ଚେୟାରରେ ବସି ଖାଉଛନ୍ତି ଏହି ଅଭଡା । ମହାପ୍ରଭୁଙ୍କ ଅଭଡାର ବ୍ୟବସାୟୀକରଣ କରିବା ଏହା କେତେଦୂର ଯର୍ଥାତ ।

ସୂଚନାଯୋଗ୍ୟ, ପୂର୍ବରୁ ଆମାଜନ କମ୍ପାନୀ ତିନି ଠାକୁରଙ୍କ ପ୍ରତିକୃତିରେ ପାଆପୋଛ ଓ ଡୋର ହ୍ୟାଣ୍ଡଲ ପ୍ରଡକ୍ଟମାନ ବିକ୍ରି କରି ବିବାଦକୁ ଆସିଥିଲା । ଏବେ ପୁଣି ମହାପ୍ରସାଦ ଓ ନିର୍ମାଲ୍ୟକୁ ବିକ୍ରି କରିବା ଆରମ୍ଭ କରିଛି ଏହି ସଂସ୍ଥା । ଏନେଇ ଶ୍ରୀମନ୍ଦିର ସେବାୟତ ଏବଂ ବିଭିନ୍ନ ସଂଘ ପକ୍ଷରୁ ପୁରୀ ସିଂହ ଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ଆମାଜନ ଇଣ୍ଡିଆକୁ ଶ୍ରୀମନ୍ଦିର ପ୍ରଶାସନ ନା ଆଉ କିଏ ଅନୁମତି ଦେଇଛି? ଆମାଜନ ଏପରି କାର୍ଯ୍ୟକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜଗନ୍ନାଥଙ୍କର ଅନ୍ୟନ୍ୟ ପରମ୍ପରା ଏବଂ ମହାପ୍ରସାଦର ଗୁରୁତ୍ୱ ହ୍ରାସ କରିବା ପାଇଁ ଏଭଳି ବାରମ୍ବାର ଅପଚେଷ୍ଟା କରାଯାଉଛି, ଯାହାକୁ ନେଇ ବିବାଦ ଉପୁଜୁଥିଲେ ମଧ୍ୟ ଅନଲାଇନ ସାଇଟଗୁଡିକ କିନ୍ତୁ ଏଥିରୁ କ୍ଷାନ୍ତ ହେଉନାହାନ୍ତି । ଏହି ସବୁ ଘଟଣାରେ ନିଜେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଜଗନ୍ନାଥ ପ୍ରେମୀ ଦାବି କରୁଛନ୍ତି । ନଚେତ ଏହା କୋଟି କୋଟି ଓଡିଆବାସୀଙ୍କ ଭାବନା ପ୍ରତି କୁଠାରାଘାତ ସଦୃଶ ହେବ ।
